ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ଭୁବନେଶ୍ଵର, ୦୯/୦୬ : ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ। ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ବରଗଡ଼ ଜଳସେଚନ ଡିଭିଜନର ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ ଡିଭିଜନ ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ ନିଲମ୍ବିତ ହୋଇଛନ୍ତି । ଆର୍ଥିକ ଅନିୟମିତତା ଅଭିଯୋଗରେ ସମସ୍ତଙ୍କୁ ନିଲମ୍ବିତ କରିଛି ଜଳସମ୍ପଦ ବିଭାଗ । ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଓ.ସି.ଏସ୍ ନିୟମ, ୧୯୬୨ର ଧାରା ୧୨(୧) ଅନୁଯାୟୀ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ନିଲମ୍ବନ ଆଦେଶ ଜାରି ହୋଇଛି । ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ ସେମାନଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।