ଶ୍ରୀନଗର, ୭/୧୦ : ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ମିଳିଛି ବଡ ସଫଳତା । ଆଜି ସକାଳୁ ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ କଶ୍ମୀର ପୋଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି ।
ସୂଚନା ଅନୁସାରେ ସୋପିଆ ଜିଲ୍ଲାର ସୁଗାନ ଜୈନପୋରା ଅଂଚଳରେ ଆତଙ୍କବାଦୀମାନେ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାବାହିନୀର ଯବାନମାନଙ୍କୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀର ଏକ ଦଳ ଏହି ଅଞ୍ଚଳକୁ ଘେରି ରହିଥିଲେ। ନିଜକୁ ଘେରି ରହିଥିବାର ଦେଖି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। କିନ୍ତୁ ଫଳ ଓଲଟା ହୋଇଥିଲା । ସୁରକ୍ଷାବାହିନୀର ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
ତେବେ ରିପୋର୍ଟ ଲେଖାଯିବା ବେଳକୁ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ବେଳେ ସୁରକ୍ଷାବାହିନୀର ଅପରେଶନ ଜାରି ରହିଛି ।