ଭୁବନେଶ୍ୱର,୨୪ /୧୧: (ପ୍ରଦୀପ୍ତ କୁମାର ଦାସ) – ବିଦେଶରେ ଚାକିରୀ କରାଇଦେବା ଚକମା ଦେଖାଇ ଚଉଦ ଜଣଙ୍କଠାରୁ ଦଶ ଲକ୍ଷରୁ ଉର୍ଧ୍ଵ ଟଙ୍କା ଠକିନେଇଥିବା ଜଣେ କୁଖ୍ୟାତ ଠକକୁ କମିସନରେଟ ପୋଲିସ ଗିରଫ କରିଛି । ଏହି ଠକର ନାମ ମହମ୍ମଦ ଆନସାରୀ, ଘର ଜଟଣୀ ଅଂଚଳରେ । ତେବେ ସେ ଏୟାରଫିଲଡ ଥାନା ଅଂଚଳର ଭୀମଟାଙ୍ଗୀଠାରେ ଇର୍ସତ ମ୍ୟାନେଜମେଣ୍ଟ ଆଣ୍ଡ ସର୍ଭିସ ପ୍ରା ଲି ନାମରେ ଏକ ପ୍ଲେସ ମେଣ୍ଟ ଅଫିସ ଖୋଲି ଏପରି ବେଆଇନ କାରବାର ଚଳାଇଆସୁଥିଲା । ତେବେ ତିର୍ତୋଲ ଅଂଚଳର ସମରରେନ୍ଦୁ ରାଉତ ଆନସାରୀର ଏପରି ଠକେଇ ଜାଲରେ ଶିକାର ହେବାପରେ ସୋମବାର ଏୟାରଫିଲଡ ଥାନାରେ ଏନେଇ ଏତଲା ଦେଇଥିଲେ । ଏହାକୁ ଭିତ୍ତିକରି ପୋଲିସ ଆନସାରୀର ଉକ୍ତ ସଂସ୍ଥାରେ ଚଢ଼ଉକରି ନଥିପତ୍ର ଯାଞ୍ଚ କରିବାସହ ତାର ଏହି କାରନାମା ସମ୍ପର୍କରେ ଜାଣିବାକୁ ପାଇଥିଲା। ତଦନ୍ତରୁ ସେ ବିଦେଶରେ ଚାକିରୀ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଏଭଳି ଚଉଦ ଜଣଙ୍କ ଠାରୁ ଦଶ ଲକ୍ଷ ପଞ୍ଚଷଠି ହଜାର ଟଙ୍କା ଠକିନେଇଥିବା ଜଣାପଡିଥିଲା। ବିଶେଷ କରି ଜର୍ମାନୀ,ସିଙ୍ଗାପୁର,ଦୁବାଇ,ନାଇଜେରିଆ ଓ ସୁଇଜରଲ୍ୟାଣ୍ଡ ଇତ୍ୟାଦି ଦେଶରେ ସେମାନଙ୍କୁ ଚାକିରୀ କରାଇଦେବାକୁ ଉକ୍ତ ଟଙ୍କା ଠକିନେଇ ଧପ୍ପେଇ ଚାଲିଥିଲା । ହେଲେ ସ୍ଥାନୀୟ ଏୟାରଫିଲଡ ଥାନା ପୋଲିସ ନିକଟରେ ସମରେନ୍ଦୁଙ୍କ ଏତଲା ଦରଜ ହେବା ପରେ ଆନସାରୀର ଏହି କଳା କାରନାମା ପଦାକୁ ଆସିଥିଲା । ଏହି କ୍ରମରେ ମଙ୍ଗଳବାର ପୋଲିସ ଅଭିଯୁକ୍ତ ଠକ ଆନସାରୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି ଓ ଏଦିଗରେ ଅଧିକ ଅନୁସନ୍ଧାନ ଚଳାଇଥିବା ଖବର ମିଳିଛି ।