‘ରୁକୁଣା ରଥ’ କାର୍ଯ୍ୟରେ ନୂତନ କାଠପଟା ବ୍ୟବହାର ପାଇଁ ଲିଙ୍ଗରାଜ ସେନାର ନିବେଦନ

ଭୁବନେଶ୍ୱର,୬ /୨ : ଗତବର୍ଷ ୨୦୨୦ରେ ମହାମାରୀ କରୋନା ଯୋଗୁଁ ‘ରୁକୁଣା ରଥ’ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକ୍ରମେ ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥ ପ୍ରତିଷ୍ଠା କରାଯାଇନଥିଲା । କିନ୍ତୁ ପରମ୍ପରା ଅନୁସାରେ ଯଦି ରଥ ପ୍ରତିଷ୍ଠା ନହୋଇ ରଥ କାର୍ଯ୍ୟ କରାଯାଏ ତେବେ ତାହା ପରବର୍ତ୍ତୀ ବର୍ଷ ପାଇଁ ଏହି କାଠ ଅନୁପଯୋଗ୍ୟ ଅଟେ । ତେଣୁ ଚଳିତବର୍ଷ ପାଇଁ ସଂପୂର୍ଣ୍ଣ କାଠ ପଟାଗୁଡ଼ିକୁ ପରିବର୍ତ୍ତନ କରାଯାଇ ନୂତନ କାଠପଟାକୁ ନେଇ ନିର୍ମାଣ କାର୍ଯ୍ୟ କରାଯିବା ପାଇଁ ଶ୍ରୀ ଶ୍ରୀ ଲିଙ୍ଗରାଜ ସେନା ପକ୍ଷରୁ ଅନୁରୋଧ କରାଯାଇଛି । ଏଥି ସହିତ ବିମାନ, ପାଲିଙ୍କିକୁ ମଧ୍ୟ ଶିଶୁ କାଠ ଦ୍ୱାରା ନୂତନ ଭାବେ ନିର୍ମାଣ କରିବା ପାଇଁ ସେନା ଏବଂ ସେନାର କର୍ମକର୍ତ୍ତା ଥିବା ସେବାୟତଙ୍କ ତରଫରୁ ମଧ୍ୟ ନିବେଦନ କରାଯାଇଛି । ସିଂହ ଦ୍ୱାର ମୁଖ୍ୟ କବାଟକୁ ସଂପୂର୍ଣ୍ଣ ନୂତନ କାର୍ଯ୍ୟ କରାଯାଉ । ସେନା ପକ୍ଷରୁ ସଭାପତି ରାଜେନ୍ଦ୍ର ସମର୍ଥା, ସଂପାଦକ ବିରଞ୍ଚି ନାରାୟଣ ପତିଙ୍କ ସମେତ ଗୌରୀ ଶଙ୍କର ମହାରଣା, ନିହାର ରଞ୍ଜନ ସେଠୀ, ବିରେନ୍ଦ୍ର ପଟ୍ଟନାୟକ, କମଳାକାନ୍ତ ବଟୁ, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରସନ୍ନ ମହାସୁହାର ଏବଂ ବିଜୟ କୁମାର ମଲିଆ ପ୍ରମୁଖ ଏହି ନିବେଦନ କରିଛନ୍ତି ।