ନୂଆଦିଲ୍ଲୀ,୧୯/୪ : କରୋନା ମହାମାରୀ ଉପରେ ରୋକ୍ ଲାଗିଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପିତ୍ତି ନେଇଛନ୍ତି । ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଭ୍ୟାକ୍ସିନ୍ ଡୋଜ୍ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ମୋଦି ଏନେଇ କହିଛନ୍ତି ପୂର୍ବ ଏକ ବର୍ଷ ଧରି ସରକାର ଏହି ଭାଇରସ୍ ଉପରେ କାବୁ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଥି ସହିତ ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯିବା ନେଇ ପ୍ରସ୍ତୁତି ଜୋର୍ଜାର୍ କରାଯାଉଛି ।
ସରକାର କହିଛନ୍ତି ଯେ, ବିଶ୍ୱରେ ସବୁଠାରୁ ବଡ଼ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ଟିକା କିଣିବା ଏବଂ ଟିକା ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଭ୍ୟାକ୍ସିନ୍ ପ୍ରଥମେ ଆଗଧାଡ଼ିର ଯୋଦ୍ଧା, ସ୍ୱସ୍ଥ୍ୟକର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଏହାପରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏବେ ଟିକା ଦିଆଯାଉଛି । ଏପରି ବ୍ୟବସ୍ଥା ଆଗକୁ ମଧ୍ୟ ଲାଗୁ ରହିବ ବୋଲି ସରକାର କହିଛନ୍ତି ।