କେନ୍ଦ୍ରାପଡା,୨୬ /୮: କେନ୍ଦ୍ରାପଡା ଜିଲ୍ଲା ସଦର କେନ୍ଦ୍ରାପଡା ତହସିଲ ଅଧିନସ୍ଥ ଧୂମାତ ରାଜସ୍ବ ସର୍କଲ ଅନ୍ତର୍ଗତ ସଦର ଧୂମାତ ଗାଁ ର ମହିଳା କେତେକ ସାର୍ଟିଫିକେଟ ନିମନ୍ତେ ଆରଆଇ ଅଫିସକୁ ଯାଇ ଅସଦାଚରଣର ଶିକାର ହୋଇ ଥିବାର ଜଣାପଡିଛି l
ସୂଚନାରୁ ପ୍ରକାଶ ନିକିରାଇ ଥାନା ଅଧିନସ୍ଥ ଧୂମାତ ଗାଁ ମଠ ସାହିର ରାଜଲଷ୍ମୀ ନାୟକ କୌଣସି ଏକ କାର୍ଯ୍ୟ ନେଇ ଜାତି, ଆୟ ଓ ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ ଆବଶ୍ୟକ କରିଥିଲେ l ଏନେଇ ମହିଳା ଜଣକ ଅନଲାଇନ ରେ ଆବେଦନ କରି ଥିଲେ l କିନ୍ତୁ ଅନଲାଇନ ଆବେଦନ ମୁତାବକ ତଦନ୍ତ କରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ରିପୋର୍ଟ ଫରୱାର୍ଡ଼ କରିବା କଥା l ମାତ୍ର ଆରଆଇ ରିପୋର୍ଟ ଫରୱାର୍ଡ଼ ନକରି ଦିନ ଗଡ଼ାଇ ଚାଲିଥିଲେ l ଏକଥା ଜନସେବା କେନ୍ଦ୍ରରୁ ଜାଣିବା ପରେ ରାଜଲଷ୍ମୀ ଧୂମାତ ଆରଆଇଙ୍କୁ ଏକାଧିକ ବାର ସାକ୍ଷାତ କରିବା ପରେ ବି କାର୍ଯ୍ୟରେ ସଫଳ ହୋଇ ପାରିନଥିଲେ l ଆରଆଇ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ନିରାଶ ହୋଇଥିଲେ l ସାର୍ଟିଫିକେଟ ପାଇଁ ରିପୋର୍ଟ ବିଳମ୍ବତା ବିଷୟରେ ମହିଳା ପଚାରିବାରୁ ଆରଆଇ ତୁମେ ଅଫିସକୁ ଏକା ଏକା ଆସ,ତମେ ଆମ କଥା ବୁଝିଲେ, ମୁଁ ତମ କାମ କରିଦେବି “ବୋଲି ଉତ୍ତର ରଖିଥିଲେ l ଯାହା ନେଇ ମହିଳା ଜଣକ ଏକାକୀ କାର୍ଯ୍ୟାଳୟ ରେ ପହଂଚିବା ପରେ ଆରଆଇ ମହିଳାଙ୍କ ହାତ ଧରି ପାଖକୁ ଭିଡି ନେଇଥିଲେ l ସରକାରୀ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ଏଭଳି ଆଚରଣ ଦେଖି ମହିଳା ଜଣକ ଚିତ୍କାର କରି ବାରୁ ହାତ ଛାଡି ଦେଇଥିବା କଥା ମହିଳା ଙ୍କ ତରଫରୁ ଜଣାପଡିଛି l ଆରଆଇ ଙ୍କ ଅଶ୍ଳୀଳ ଆଚରଣ ବିରୁଦ୍ଧରେ ରାଜଲଷ୍ମୀ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି l ଦେଖିବାକୁ ବାକି ରହିଲା “ମା କୁ ସମ୍ମାନ “କଥା କହୁଥିବା ରାଜ୍ୟ ସରକାର ଙ୍କ ପୋଲିସ ପ୍ରଶାସନ ଏବଂ ରାଜସ୍ବ ବିଭାଗୀୟ କର୍ତ୍ତୃପକ୍ଷ ଆଗାମୀ ଦିନରେ ଏଭଳି ସମ୍ବେଦନ ଶିଳ ଘଟଣାରେ କି ପ୍ରକାର ପଦକ୍ଷେପ ନେଉଛନ୍ତି l