ଆଜି ଶପଥ ନେବ ତାଲିବାନ ସରକାର

କାବୁଲ,୩/୯: ଆଫଗାନିସ୍ତାନରେ ଆଜି ତାଲିବାନ ସରକାର ଗଠନ ହେବା ସମ୍ଭାବନା ରହିଛି। ଶୁକ୍ରବାର ପ୍ରାର୍ଥନା ପରେ ନୂଆ ସରକାର ଶପଥ ନେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗତ ଦୁଇ ସପ୍ତାହ ଧରି ଏ ନେଇ ଚାଲିଥିବା ପ୍ରକ୍ରିୟା ଏବେ ଚୂଡ଼ାନ୍ତ ସ୍ତରରେ ପହଞ୍ଚଛି। ଘୋର ଆର୍ଥିକ ଓ ସୁରକ୍ଷାଗତ ସଂକଟ ମଧ୍ୟରେ ସରକାର ଗଠନ ହେବାକୁ ଯାଉଥିବା ଜଣେ ତାଲିବାନ ନେତା ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଦେଶର ଆର୍ଥିକ ପରିଚାଳନା ପାଇଁ ତାଲିବାନ ବିଭିନ୍ନ ବୈଦେଶିକ ଅନୁଦାନ ଓ ସହାୟତା ଉପରେ ଆଶା ରଖିଛି। ଏଥିପାଇଁ ନିବେଦନ ପରେ ମାନବିକତା ଆଳରେ ବିଭିନ୍ନ ରାଷ୍ଟ୍ର ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏ ବାବଦରେ ତାଲିବାନକୁ ୧୦ ବିଲିୟନ ବା ୧୦୦୦ କୋଟି ଡଲାର ମିଳିବା ସମ୍ଭାବନା ରହିଛି। ଏହାଦ୍ବାରା ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଖାଦ୍ୟ ସଂକଟ ଦୂର ପ୍ରତି ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। ଦେଶର ଦୁଇ-ତୃତୀୟାଂଶ ଜନତା ଏବେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି ।