କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର ୩୧/୦୩ : ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ରଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ପୁରୁଷ ଛାତ୍ରାବାସର ୩ ନମ୍ବରରେ ରୁମରେ ରହୁଥିଲେ। ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ । ତେବେ ରାତି ସାଢ଼େ ୩ଟା ବେଳେ ସେହି କ୍ୟାମ୍ପସର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ମୃତଦେହ ୫ ମହଲାବିଶିଷ୍ଟ ଏକାଡେମିକ ବିଲ୍ଡିଂ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୁଲିସକୁ ଖବର ଦେଇଥିଲେ।

ସେ କୌଣସି କାରଣରୁ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି ତାହା ପୁଲିସ ଖୋଳତାଡ଼ ଆରମ୍ଭ କରିଥିବା ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ ମୁର୍ମୁ କହିଛନ୍ତି। ଏନେଇ ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ହିତେଷ୍ଣୁଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନ ରସାଲପୁର ପଞ୍ଚାୟତ ଭୀମପୁରା ଗ୍ରାମରେ। ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲ୍ଲା ପୁଲିସ ମୁଖ୍ୟାଳୟ(ଡିପିଓ)ରେ ମୁଖ୍ୟ କିରାଣି ଭାବେ ଚାକିରୀ କରିଥିଲେ। ନିକଟରେ ସେ ଅବସର ନେଇଛନ୍ତି ଏବଂ ବାଲେଶ୍ୱର ସହର ଓଟିରୋଡ ସ୍ଥିତ ପୁଲିସ କଲୋନିର ଇ/୨୫ କ୍ୱାର୍ଟରରେ ତାଙ୍କ ପରିବାର ରହୁଛନ୍ତି।