ଦଇତାପତି ସେବାୟତଙ୍କର କରୋନା ଟେଷ୍ଟ ହେବ : ମନ୍ଦିର ପ୍ରଶାସନ

ପୁରୀ,୨୬/୫: ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାଥ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ହୋଇ ପଡିଛନ୍ତି । ବର୍ତ୍ତମାନ ମହାମାରୀ କରୋନାର ପ୍ରକୋପ ଚାଲିଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ମଧ୍ୟ କିଛିକାଂଶରେ ବିଭ୍ରାଟ ପରିଲକ୍ଷିତ ହେଉଛି ।

ତେବେ ଆଗକୁ ଅନୁଷ୍ଠିତ ହେବାର ଥିବା ସ୍ନାନ ପୂର୍ଣ୍ଣିମା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇସାରିଛି ଯେ, ସର୍ବନିମ୍ନ ସେବାୟତରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ହେଲେ ବର୍ତମାନ ସମୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ ଜରୁରୀ । ଏହାଛଡା ସ୍ନାନ ଯାତ୍ରାରେ ଗରାବଡୁ ସେବାୟତଙ୍କ ମୁଖ୍ୟ ଭୂମିକା ରହିଛି । ସେଥିପାଇଁ ସେମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ପୂର୍ବରୁ ସୂଚନା ଦିଆସରିଛି । ଆଉ ଏବେ ଦଇତାପତି ସେବାୟତଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ଏଥିପାଇଁ ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ୱାବ ସଂଗ୍ରହ କରାଯିବ । ପ୍ରାୟ ୧୫୦ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଏହାଛଡା ମେ ୨୯ ଓ ୩୦ ତାରିଖରେ ୧୨୦ ଜଣ ଗରାବଡୁ ନିଯୋଗ ସଦସ୍ୟଙ୍କର ବି କରୋନା ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।