ଭୁବନେଶ୍ୱର,୧୬/୬ : ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ସୋମବାର ଦେଢ଼ ଘଣ୍ଟା ଉଡ଼ାଣ କରିବା ପରେ ମଝି ଆକାଶରୁ ପୁଣି ହଂକଂ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଫେରି ଜରୁରୀ ଅବତରଣ କରିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନକୁ ଯାତ୍ରା ଅଧାରୁ ଫେରିବାକୁ ପଡ଼ିଥିବା କୁହାଯାଉଛି। ଏୟାର ଇଣ୍ଡିଆ ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ଘଟଣା ଯାତ୍ରୀଙ୍କ ମନରେ ଛନକା ସୃଷ୍ଟି କରୁଛି। ସେପଟେ ମଝି ଆକାଶରେ ବିମାନରେ ତ୍ରୁଟି ଦେଖାଦେବା ପରେ ପାଇଲଟ ଯାହା ସବୁ ଆଲୋଚନା କରୁଛନ୍ତି ତାହା ପ୍ରଘଟ ହୋଇଛି।
ସୂଚନା ଅନୁସାରେ, ହଂକଂ ବିମାନବନ୍ଦରରୁ ଏୟାର ଇଣ୍ଡିଆ ୩୧୫ ବିମାନ ସକାଳ ୯ଟା ୩୦ରେ ଉଡ଼ାଣ ଆରମ୍ଭ କରିଥିଲା। ପ୍ରାୟ ୯୦ ମିନିଟ ପରେ ବିମାନ ପୁଣି ଫେରିଯାଇଥିଲା। ଏୟାର ଟ୍ରାଫିକ କଂଟ୍ରୋଲ ସହିତ ପାଇଲଟଙ୍କ ବାର୍ତ୍ତାଳାପର ଅଡିଓ କ୍ଲିପ ସାମ୍ନାକୁ ଆସିଛି। ପାଇଲଟ ଏଥିରେ ସ୍ପଷ୍ଟ ଭାବେ କହୁଛନ୍ତି, ଆମେ ଆଗକୁ ବଢ଼ିବାକୁ ଚାହୁଁନୁ। ଏହି କଥାରୁ ଜଣାପଡ଼ୁଛି ଯେ, ସୁରକ୍ଷା ଦୃଷ୍ଟିରୁ ପାଇଲଟ ବିମାନ ଉଡ଼ାଣ ଜାରି ରଖିବାକୁ ମନା କରିଦେଇଥିଲା। ସୂଚନାଯୋଗ୍ୟ, ଏୟାରଇଣ୍ଡିଆର ଏହି ମଡେଲର ବିମାନ ଅହମ୍ମଦାବାଦରେ ଦୁର୍ଘଟଣାର ଶିକାର ହୋଇଥିଲା। ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା।
