ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ଆସିପାରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର, ୩୦/୧୦ : ଗତକାଲି ସନ୍ଧ୍ୟାରେ ମିଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟି ହୋଇଥିବା ମୋଲାଭୋ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସି ଏହି ଘୂର୍ଣ୍ଣିବଳୟ ସୃଷ୍ଟି କରିଛି । ଆଜି ଏହା ଦକ୍ଷିଣ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି କରି ୩୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି କରିପାରେ ।

ନଭେମ୍ବର ୧ ତାରିଖରେ ଏହା ଉତ୍ତର ବଙ୍ଗୋପସାଗରରେ କିଛି ମାତ୍ରାରେ ସଂଗଠିତ ହୋଇ ପଶ୍ଚିମବଙ୍ଗ/ବାଂଲାଦେଶକୁ ଗତି କରିବ । ୨ ତାରିଖରେ ପୁଣି ଏହା ବଙ୍ଗୋପସାରର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ରହିବ। ଏହାର ପ୍ରଭାବରେ ୨ ତାରିଖ ସମୁଦ୍ରତଟ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସେହିପରି ୩ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡିକରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି । ଶୁକ୍ରବାରରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପ୍ରାୟତଃ ଅପରିବର୍ତ୍ତିତ ରହିବ । ୪ ତାରିଖରୁ ପୁଣି ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ପୁଣି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।