ଭୁବନେଶ୍ୱର,୧୫/୧୨: ରାଜ୍ୟର ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାର ସିବିଆଇ ଯାଞ୍ଚ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଗୁରୁବାର ଲୋକସଭାରେ ଦାବୀ କରିଛନ୍ତି। ସାଂସଦ ଶ୍ରୀ ପୂଜାରୀ କହିଛନ୍ତି ଯେ, ଏହା ଏକ ହାଇ ପ୍ରୋଫାଇଲ ହନି ଟ୍ରାଫ ଏବଂ ଅର୍ଥ ହେରଫେର ମାମଲା ଅଟେ, ଯାହାକି ଏବେ ଓଡ଼ିଶା ରାଜ୍ୟରେ ଦିନକୁ ଦିନ ମୁଖ୍ୟ ଖବରରେ ପରିଣତ ହୋଇଛି। ଯାହା ଦ୍ୱାରା ଏହି ମାମଲାର କିଙ୍ଗପିନ ସମେତ ଅନ୍ୟ ମାନଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ନିଆଯାଉଛି।
ସେ କହିଛନ୍ତି, ଓଡ଼ିଶାରେ ଏହି ହାଇ ପ୍ରୋଫାଇଲ ମାମଲାରେ ଅର୍ଥ ହେରଫେର ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରିବା ସହିତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି। ବିଶିଷ୍ଟ ବ୍ୟବସାୟୀ, ଚଳଚିତ୍ର ପ୍ରଯୋଜକ, ରିଏଲ ଇଷ୍ଟେଟ ଟାଇକୁନ, ସରକାରୀ ଅଧିକାରୀ ଓ ପୁଲିସ ଅଧିକାରୀ ଙ୍କ ବ୍ୟତୀତ ବିଶିଷ୍ଟ ରାଜନୈତିକ ନେତା ମାନେ ଏହି ହନି ଟ୍ରାପରେ ଫସି ରହିଛନ୍ତି। ଅଭିଯୁକ୍ତ ଙ୍କ ଦ୍ୱାରା ପରିଚାଳିତ ସେକ୍ସ ରାକେଟ ଜରିଆରେ ସମାଜର ବିଭିନ୍ନ ବର୍ଗର ଧନୀ ଓ ପ୍ରଭାବଶାଳୀ ଗ୍ରାହକ ମାନଙ୍କୁ ଖୁସି କରାଯାଉଥିଲା।
ଏହି ଘଟଣା ଓଡ଼ିଶାରବାସୀଙ୍କ ବିବେକକୁ ଦୋହଲାଇ ଦେଇଥିବା ବେଳେ ଆମ ସମାଜର ବ୍ୟବସ୍ଥାକୁ ବିଶେଷ ଭାବରେ ଭୋଟର ମାନଙ୍କର ବିଶ୍ୱାସକୁ ଧକ୍କା ମଧ୍ୟ ଦେଇଛି। ଏହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ମଧ୍ୟ ଭଲ ସଙ୍କେତ ନୁହେଁ। ଏହା ଆଗାମୀ ଦିନରେ ଭୋଟର ମାନଙ୍କ ମଧ୍ୟରେ ରାଜନେତା, ନିର୍ବାଚିତ ପ୍ରତିନିଧି, ଅମଲାତନ୍ତ୍ର ଉପରେ ବିଶ୍ୱାସ ହରାଇବାର ପରିସ୍ଥିତି ସୃଷ୍ଟି କରିପାରେ। ଏଣୁ ଏକ ନିରପେକ୍ଷ ଏବଂ ଅନୁସନ୍ଧାନ ମୂଳକ ତଦନ୍ତ ‘କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ’ ଭଳି ଏକ ଦକ୍ଷ ଏଜେନ୍ସି ମାଧ୍ୟମରେ କରାଯାଇ ସମସ୍ତ ଅପରାଧି ମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟ ଜରିଆରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।
ସେ କାର୍ମିକ, ଜନ ଅଭିଯୋଗ ଓ ପେନସନ ମନ୍ତ୍ରାଳୟର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଓଡ଼ିଶା ରାଜ୍ୟ ସରକାରଙ୍କ ସହ ଏହି ମାମଲା ଗ୍ରହଣ କରି ସମଗ୍ର ଘଟଣାର ଅନୁସନ୍ଧାନ କରିବା ପାଇଁ ସିବିଆଇଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ସମସ୍ତ ଅପରାଧି ମାନଙ୍କୁ ଧରିବା ସହିତ ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ବିଚାର କରାଯାଇ ଦୋଷୀ ମାନଙ୍କୁ ଦଣ୍ଡିତ କରାଯାଇ ଜନତାଙ୍କ ମଧ୍ୟରେ ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ଫେରାଇ ଆଣନ୍ତୁ ବୋଲି ସାଂସଦ ଶ୍ରୀ ପୂଜାରୀ ଲୋକସଭାରେ ଦାବୀ କରିଛନ୍ତି।
