ଆଠଗଡ଼ : ଧୁରୁକୁଡିଆ ଗ୍ରାମରେ ଜଣେ ନବବଧୂ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଧୁରୁକୁଡିଆ ଗ୍ରାମର ମୁରଲୀଧର ପତ୍ରୀଙ୍କ ପୁଅ ସଚ୍ଚିଦାନନ୍ଦ କଟକ ଵୟାଳିଶ ମୌଜା ରାଉତରାୟପୁର ଅଞ୍ଚଳର ଅନୁସୂୟା ମହାପାତ୍ରଙ୍କୁ ୨୦୨୦ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ମଧ୍ୟ ରହିଛି। ଏହା ଆତ୍ମହତ୍ୟା ନୁହେଁ, ବରଂ ଅନୁସୂୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
ସୋମବାର ଯାତ୍ରା ଦେଖିବାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ମଙ୍ଗଳବାର ସକାଳୁ ଅନୁସୂୟା ଫ୍ୟାନରେ ଏକ ଶାଢ଼ି ବେକରେ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ଅନୁସୂୟାଙ୍କ ମାଆ ପୁଷ୍ପଲତା ମହାପାତ୍ର ତାଙ୍କ ଝିଅକୁ ଶାଶୂଘର ଲୋକେ ହତ୍ୟା କରିଥିବା ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କଲା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପୁଲିସ ମୃତ ମହିଳାଙ୍କ ମାଆଙ୍କ ଲିଖିତ ଅଭିଯୋଗ ପାଇବା ପରେ ସ୍ୱାମୀ ସଚ୍ଚିଦାନନ୍ଦଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଠଗଡ଼ ଥାନା ଅଧିକାରୀ ବାମଦେବ ସ୍ଵାଇଁ ସୂଚନା ଦେଇଛନ୍ତି।
