କେଜରିୱାଲ ସରକାରରେ ଶପଥ ନେଲେ ଆତିସୀ ମାର୍ଲେନା ଓ ସୌରଭ ଭରଦ୍ୱାଜ

0

ନୂଆଦିଲ୍ଲୀ,୯/୩ : ଦିଲ୍ଲୀରେ ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଓ ଆତିସୀ ମାର୍ଲେନାଙ୍କୁ କେଜରିୱାଲ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି। ଉଭୟ ନେତା ଆଜି ଦିଲ୍ଲୀ ରାଜଭବନରେ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ. ସକ୍ସେନା ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ସହିତ ଦୁଇ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରିଦିଆଯାଇଛି। ଆତିସୀଙ୍କୁ ଶିକ୍ଷା, ପିଡବ୍ଲୁଡି, ଶକ୍ତି ଓ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ମିଳିଥିବା ବେଳେ ସୌରଭ ଭରଦ୍ୱାଜଙ୍କୁ ସ୍ୱାସ୍ଥ୍ୟ, ଅର୍ବାନ ଡେଭଲପମେଣ୍ଟ, ଜଳ ଓ ଉଦ୍ୟୋଗ ବିଭାଗ ଦିଆଯାଇଛି। ମନ୍ତ୍ରୀ ପଦ ମିଳିବାମାତ୍ରେ ଆତିସୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଜେଲରୁ ଫେରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ନେବେ।

 

ସୌରଭ ଭରଦ୍ୱାଜ ଦିଲ୍ଲୀ ଗ୍ରେଟର କୈଳାଶରୁ ତୃତୀୟବାର ବିଧାୟକ ନିର୍ବାଚିତ ହୋଇଛନ୍ତି। ପ୍ରାୟ ୯ ବର୍ଷ ପରେ ସେ ପୁଣି ଥରେ ମନ୍ତ୍ରୀ ହୋଇଛନ୍ତି। ଅରବିନ୍ଦ କେଜରିୱାଲଙ୍କ ପ୍ରଥମ ସରକାରରେ ସେ ପରିବହନ ମନ୍ତ୍ରୀ ଥିଲେ। ୨୦୧୩ ବିଧାନସଭା ନିର୍ବାଚନରେ ସୌରଭ ଦିଗ୍ଗଜ ବିଜେପି ନେତା ବିଜୟ କୁମାର ମଲହୋତ୍ରାଙ୍କ ପୁଅ ଅଜୟ କୁମାର ମଲହୋତ୍ରାଙ୍କୁ ହରାଇ ବିଜୟୀ ହୋଇଥିଲେ। ସୌରଭ ଭରଦ୍ୱାଜ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ। ସେ ମାଇକ୍ରୋଚିପ୍ସ ଓ କୋଡିଂରେ ଏକ୍ସପର୍ଟ ଥିଲେ।

ସୌରଭ ୨୦୦୩ ମସିହାରେ ଆଇପି ୟୁନିଭର୍ସିଟିର ଭାରତୀୟ ବିଦ୍ୟାପୀଠ କଲେଜ ଅଫ ଇଞ୍ଜିନିୟରିଂରୁ କମ୍ପ୍ୟୁଟର ସାଇନ୍ସ ପଢିଥିଲେ। ଏହା ପରେ ଓସମାନିଆ ୟୁନିଭର୍ସିଟିରେ ଓକିଲାତି ପଢି ଆଇନ ସହାୟତା ଦେଇ ଗରିବଙ୍କୁ ସହାୟତା କରୁଥିଲେ। ଦିଲ୍ଲୀରେ ଆନ୍ନା ଆନ୍ଦୋଳନ କାଳରେ ସୌରଭ ପ୍ରଥମ ଥର କେଜରିୱାଲଙ୍କ ସଂସ୍ପର୍ଶରେ ଆସିଥିଲେ। କେଜରିୱାଲ ଆମ ଆଦମୀ ପାର୍ଟି ଗଠନ କରିବା ସହ ସୌରଭ ରାଜନୀତିକୁ ଆସିଥିଲେ।

SBI AD
Leave A Reply

Your email address will not be published.