୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟର କମ୍ପାନୀକୁ ମାତ୍ର ୭୩ ଟଙ୍କାରେ ବିକ୍ରି କଲେ ଭାରତୀୟ ବ୍ୟବସାୟୀ

ଆବୁଧାବି : ବ୍ୟବସାୟୀକ କ୍ଷତି ଓ ଠକେଇ ଭଳି ଅଭିଯୋଗ ଲାଗି ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି। ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ ରହିଥିବା ଜଣାପଡିଛି। ତେବେ ପରିସ୍ଥିତିରେ ପଡି ସେ ଏହାକୁ ବିନା ମୂଲ୍ୟରେ ଛାଡିବାକୁ ବାଧ୍ୟ ହୋଇଛନ୍ତି।

ଗତ ବର୍ଷ ଷ୍ଟକ୍ ଏକ୍ସଚେଞ୍ଜରେ ଶେଟ୍ଟୀଙ୍କ କମ୍ପାନୀଗୁଡିକର ସେୟାର କାରବାର ଉପରେ ପ୍ରତିବନ୍ଧକ ଜାରି କରାଯାଇଥିଲା। ସେହି କମ୍ପାନୀଗୁଡିକର ଋଣ ଉଠାଣ ମିଆଦ ଶେଷ ହୋଇଯାଇ ଥିବାରୁ କମ୍ପାନୀଗୁଡିକରେ ବିନିଯୋଗ କରିବାକୁ କେହି ଇଚ୍ଛୁକ ନୁହଁନ୍ତି। ଏହି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଗଠିତ କମିଟି ଏହି କମ୍ପାନୀ ନେବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ଡିସେମ୍ବର ମାସରେ ଫିନାବ୍ଲର ବ୍ୟବସାୟର ବଜାର ମୂଲ୍ୟ ୨ ବିଲିୟନ ଡ଼ଲାର ଥିଲା। ଏଥି ସହିତ କମ୍ପାନୀ ଉପରେ ପ୍ରାୟ ଏକ ବିଲିୟନ ଡଲାର ଋଣ ଥିବା କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ବି. ଆର. ଶେଟ୍ଟୀ ୭୦ ଦଶକରେ ମାତ୍ର ୫୦୦ ଟଙ୍କା ନେଇ ୟୁଏଇ ଯାଇଥିଲେ ଏବଂ ସେଠାରେ ମେଡିକାଲ ରିପ୍ରେଜେଣ୍ଟେଟିଭ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୭୦ ମସିହାରେ ଶେଟ୍ଟି ‘ଏନଏମସି ହେଲ୍ଥ’ର ଆରମ୍ଭ କରିଥିଲେ। ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ ଟଙ୍କା ମଧ୍ୟ ରୋଜଗାର କରିଥିଲେ। ଏହା ପରେ ସେ ୧୯୮୦ ମସିହାରେ ୟୁଏଇ ଏକ୍ସଚେଞ୍ଜ ଆରମ୍ଭ କରିଥିଲେ।

Comments are closed.