ଭୁବନେଶ୍ବର,୩୧/୮: ହକି ଖେଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଓ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପ୍ରୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓ’ଫାରେଲ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓ’ଫାରେଲଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡ଼ିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳର ଉନ୍ନତି ପାଇଁ ଓଡ଼ିଶା ଯେଭଳି ଭାବରେ ନେତୃତ୍ବ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରିଥିଲେ। ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହାବ୍ୟତୀତ ଓଡ଼ିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।