ଭୁବନେଶ୍ୱର : ଲଟେରୀ ଟିକେଟ ବଦଳାଇ ଦେଇଛି ଜଣେ ଶ୍ରମିକଙ୍କ ଭାଗ୍ୟ । ରାସ୍ତା କାମ କରି ନିଜ ପରିବାର ଓ ନିଜର ପେଟ ପୋଷୁଥିବା ଜଣେ ପ୍ରବାସୀ ଶ୍ରମିକ ଏବେ ଲକ୍ଷପତି ବନି ଯାଇଛନ୍ତି। ତେବେ ପ୍ରବାସୀ ଶ୍ରମିକ ଜଣଙ୍କ ୭୫ ଲକ୍ଷ ଟଙ୍କାର ଲଟେରୀ କେରଳରେ ଜିତିବା ପରେ ଭୟରେ ପୁଲିସ୍ ପାଖକୁ ଦୌଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍ ପାଖରେ ପହଞ୍ଚି ସେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି।
ପଶ୍ଚିମବଙ୍ଗର ମୂଳବାସିନ୍ଦା ଏସକେ ବାଦେଶ କେରଳରେ ରହି କାମ କରନ୍ତି। ସେ ଅନେକ ଥର ଲଟେରୀ ଟିକେଟ କିଣି ନିଜର ଭାଗ୍ୟ ବଦଳାଇବାକୁ ଚେଷ୍ଟା କରିଥିଲେ ହେଁ ଏଯାଏ କେବେ ହେଲେ ସଫଳତା ପାଇ ନଥିଲେ। କିନ୍ତୁ ଏଥର ସେ କେରଳ ସରକାରଙ୍କ ଷ୍ଟ୍ରି ଶକ୍ତି ଲଟେରୀ ମାଧ୍ୟମରେ ୭୫ ଲକ୍ଷ ଟଙ୍କା ଜିତି ନେଇଛନ୍ତି। ଲଟେରୀ ଜିତିବା ପରେ ସେ ମଙ୍ଗଳବାର ରାତିରେ ହିଁ ମୁଭାଟ୍ଟୁପୁଝା ପୁଲିସ ଷ୍ଟେସନରେ ପହଞ୍ଚି ତାଙ୍କ ଟଙ୍କାର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି।
ବାଦେଶ ଲଟେରୀ ଜିତିଥିଲେ ମଧ୍ୟ କେମିତି କାଗଜପତ୍ର କାମ କରିବାକୁ ହେବ, ସେକଥା ଜାଣି ନାହାନ୍ତି। ସେହିପରି ତାଙ୍କ ବିଜୟୀ ଟିକେଟକୁ କିଏ କାଳେ ଝାମ୍ପି ନେଇଯିବେ, ସେ ଭୟ ମଧ୍ୟ ତାଙ୍କୁ ଘାରିଛି। ତେଣୁ ସେ ପୁଲିସ୍ ପାଖରେ ପହଞ୍ଚି ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପୁଲିସ୍ ତାଙ୍କୁ ସବୁ କଥା ବୁଝାଇବା ସହ ସୁରକ୍ଷା ଗ୍ୟାରେଣ୍ଟୀ ଦେଇଛି।