ମୁମ୍ବାଇ,୨୨/୬: ଚର୍ଚ୍ଚାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ । ଆମେରିକାର ପ୍ରତିଷ୍ଠିତ ‘ଟାଉନ ଆଣ୍ଡ କଣ୍ଟ୍ରି’ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଶୀର୍ଷ ପରୋପକାରୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଛନ୍ତି ନିତା । ୨୦୨୦ ମସିହାର ଶ୍ରେଷ୍ଠ ପରୋପକାରୀ (ଫିଲାନଥ୍ରୋପିଷ୍ଟ) ତାଲିକାରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
ଆଗଧାଡ଼ିର କରୋନା ଯୋଦ୍ଧା ଏବଂ ଗରିବ ତଥା ଅସହାୟ ଲୋକଙ୍କୁ ଭୋଜନ ପ୍ରଦାନ, ରିଲିଫ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଓ ଭାରତର ପ୍ରଥମ କୋଭିଡ ୧୯ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ କାର୍ଯ୍ୟ କରିଥିବା ନିତା ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ପ୍ରଶଂସା କରାଯାଇ ପତ୍ରିକା ପକ୍ଷରୁ ଏପରି ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଥିବା ବିଶ୍ୱର ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ଟିମ୍ କୁକ୍, ଅପ୍ରା ୱିନଫ୍ରେ, ଲରେନ ପାୱେଲ ଜବସ୍, ଲରଙ୍ଗ ଫ୍ୟାମିଲି, ଡୋନା ଟେଲା ଭର୍ସେସ୍, ମାଇକେଲ ବ୍ଲୁମବର୍ଗ, ଲିଓନାଡୋ ଡିକାପ୍ରିଓ ଇତ୍ୟାଦି ।