“ଭାରତ ସଂସ୍କୃତି ଯାତ୍ରା” ଉଦ୍ଯାପନୀ ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର
ଭୁବନେଶ୍ୱର,୨୨/୪ : ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟି ଏବଂ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଭାରତୀୟ
ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ‘ଭାରତ ସଂସ୍କୃତି ଯାତ୍ରା’ର ଉଦ୍ଯାପନୀ ସଂଧ୍ୟାରେ ମର୍ଦ୍ଦଳ ଓ ବଂଶୀ ବାଦନ ସହିତ ଓଡ଼ିଶୀ, ସମ୍ବଲପୁରୀ, ଭାରତାନଟ୍ୟମ୍ ଓ କଥକ ନୃତ୍ୟରେ ଦର୍ଶକ ମତୁଆଲ । ଏହି ଉତ୍ସବଟିକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଉପସ୍ଥିତି ଯୋଜନା ଅଧୀନରେ ସମର୍ଥନ କରାଯାଇଥିଲା ବେଳେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଉପସ୍ଥାପନ କରାଯାଇଥିଲା।
ଉଦ୍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡ଼କ୍ଟର (ପ୍ରଫେସର) ପ୍ରସନ୍ନ କୁମାର ପାଟ୍ଟଶାଣୀ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟ ଭିଜନ୍ର ସମ୍ପାଦିକା ଗୁରୁ ଡ଼କ୍ଟର ଇଲିଆନା ସିତାରିଷ୍ଟ; ବିଶିଷ୍ଟ ଗାୟକ ତଥା ଲେଖକ ଦଳାଇକୃଷ୍ଣ ମେହେର; ଗୀତାଞ୍ଚଳୀ ପିସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଏସ୍. ଗୀତାଞ୍ଜଳୀ; ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟିର ସଚିବ ପ୍ରଶ୍ନଜିତ୍ ପୋଦ୍ଦାର ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା । ଅନ୍ତିମ ସନ୍ଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ । ତାଙ୍କର ବିଭିନ୍ନ ରାଗ ଓ ତାଳକୁ ନେଇ ତବଲା ଉପରେ ଆଙ୍ଗୁଠି ଚାଳନା ସହିତ ବିଭିନ୍ନ କୌଶଳରେ ତବଲା ବାଦନ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ସହଯୋଗ କରୁଥିଲେ ହାରମୋନିୟମ୍ରେ ମୁରଲୀଧର ସ୍ୱାଇଁ ଓ ମର୍ଦ୍ଦଳରେ ଅରୁପ ଦାସ ।
ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ପ୍ରଫେସର ଜବାହାର ମିଶ୍ରଙ୍କ ଦ୍ୱାରା ବଂଶୀ ବାଦନ । ପରେ ପରେ ଜ୍ୟେତ୍ସାରାଣୀ ସାହୁ ଓ ସାଥୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ନାଦ ନିନାଦ ପରିବେଷିତ ହୋଇଥିଲା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଜ୍ୟେତ୍ସାରାଣୀ ସାହୁ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସମ୍ବଲପୁରୀ ଦଳଗତ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ମହାପାତ୍ର ଓ ସାଥୀ । ଶେଷ ପ୍ରସ୍ତୁତିରେ ଥିଲା ନାଟ୍ୟଶ୍ରୀ କେଶବ କୁମାର ସେଲଭମ୍ ଓ ଚେତନ୍ ଏସ୍.ସି.ଙ୍କ ଦ୍ୱାରା ଦୈତ୍ୟ ଭରତନାଟ୍ୟମ୍ ଓ କଥକ ନୃତ୍ୟ ପରିବେଷଣ । ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟିର ସଚିବ ପ୍ରଶ୍ନଜିତ୍ ପୋଦ୍ଦାର ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଏହି ଉତ୍ସବଟିର ପରିକଳ୍ପନା ଓ ସମ୍ପାଦନା କରାଯାଇଛି । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଶୋଭା ମହାପାତ୍ର ।