ପାଟନା: ବିହାରର ପାଟନାରେ ଏକ ଡଙ୍ଗା ନଦୀରେ ଓଲଟିଯିବାରୁ ବଡ଼ ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାଟନା ଜିଲ୍ଲାର ମନେରରେ ଶୁକ୍ରବାର ଦିନ ଏକ ଡଙ୍ଗା ନଦୀରେ ଓଲଟି ପଡିଛି। ଏହି ଦୁର୍ଘଟଣା ପରେ ୭ ଜଣ ନିଖୋଜ ଥିବା କୁହାଯାଉଛି। ଡଙ୍ଗାରେ ୧୫ ଜଣ ଲୋକ ଥିଲେ। ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୭ ଜଣ ନିଖୋଜ ଥିବା ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏନଡିଆରଏଫ ଟିମ୍ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମନେର ଅଞ୍ଚଳର ମହାବୀର ଟୋଲା ଘାଟ ନିକଟରେ ୧୫ ଜଣ ଲୋକ ଗଙ୍ଗା ନଦୀ ପାର ହୋଇ ଡିଆରାକୁ ଗୋରୁ ଚରାଇବା ପାଇଁ ଡଙ୍ଗାରେ ଯାଇଥିଲେ। ଫେରୁଥିବାବେଳେ ମହାବୀର ଘାଟଠାରୁ କିଛି ଦୂରରେ ଡଙ୍ଗାଟି ଗଙ୍ଗା ନଦୀରେ ଓଲଟି ପଡିଥିଲା। ଏହା ପରେ ୮ ଜଣ ଲୋକ କୌଣସି ପ୍ରକାରେ ନଦୀରେ ପହଁରି ନିଜ ଜୀବନ ରକ୍ଷା କରିଥିଲେ ଏବଂ ବାକି ୭ ଜଣ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ।
ବର୍ତ୍ତମାନ ସୁଦ୍ଧା ୭ ଜଣ ଯାତ୍ରୀଙ୍କ ପତ୍ତା ମିଳିପାରି ନାହିଁ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । ବର୍ତ୍ତମାନ ନିଖୋଜ ଲୋକଙ୍କର ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ନିଖୋଜ ଯାତ୍ରୀଙ୍କ ବିଷୟରେ ସନ୍ଧାନ ମିଳିବା ପରେ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି । ନିଖୋଜ ଯାତ୍ରୀଙ୍କ ତଲାସୀ କାର୍ଯ୍ୟରେ ଏନଡିଆରଫ ଟିମ୍ ନିୟୋଜିତ ରହିଛନ୍ତି ।
