ବିଜୁ ସ୍ୱାସ୍ଥ୍ୟ କାର୍ଡ ଜାଲିଆତି ଚିନ୍ତାରେ ସରକାର, ଜାରି କଲେ ଗାଇଡଲାଇନ୍‌

0

ଭୁବନେଶ୍ୱର,୧୨/୪ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ହିତାଧିକାରୀଙ୍କୁ ପ୍ରଲୋଭିତ ଓ ଜାଲିଆତି କରି ବିଭିନ୍ନ ହସ୍ପିଟାଲଗୁଡ଼ିକ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବାର ଅନେକ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଘରୋଇ ନର୍ସିଂହୋମ୍ ଓ ହସ୍ପିଟାଲଗୁଡ଼ିକରେ ଚାଲିଥିବା ବିଏସକେୱାଇ କାର୍ଡ ଜାଲିଆତି ନେଇ ସମ୍ପୃକ୍ତ ଅନୁଷ୍ଠାନର ମାଲିକମାନଙ୍କ ବିରୁଦ୍ଧରେ ଅଦ୍ୟାବଧି ଆଖିଦୃଶିଆ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିବାରେ ସକ୍ଷମ ହୋଇନଥିବା ରାଜ୍ୟ ସରକାର ଆଜି ବିଏସକେୱାଇ କାର୍ଡରେ ଜାଲିଆତି ଓ ଦୁରୂପଯୋଗ ରୋକିବା ପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି ।

ବିଏସକେୱାଇ ହିତାଧିକାରୀମାନେ ଯେଭଳି ଠକାମୀର ଶିକାର ନହେବେ ସେଥିପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ପୁଲିସ ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଏକ ଗାଇଡଲାଇନ୍ ଜାରି ହୋଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ଏହି ଗାଇଡଲାଇନ୍ ଜାରି କରି ବିଏସକେୱାଇ ହିତାଧିକାରୀଙ୍କୁ ସଚେତନ କରିବା ସହ ସେମାନଙ୍କୁ ପ୍ରଲୋଭିତ କରି ହେଉଥିବା ଜାଲିଆତିକୁ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ତେବେ କେତେକ ଖଳପ୍ରକୃତିର ଲୋକ ଏହି ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ଠକାମୀ କରୁଥିବା ନିକଟ ଅତୀତରେ ସରକାରଙ୍କ ନଜରକୁ ଆସିଛି । ଏଥିପାଇଁ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀ ଓ ହିତାଧିକାରୀମାନଙ୍କୁ ସଚେତନ କରିବା ନିମନ୍ତେ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଯେଉଁସବୁ ପ୍ରସଙ୍ଗରେ ହିତାଧିକାରୀ ଓ କ୍ଷେତ୍ରସ୍ତରର କର୍ମଚାରୀଙ୍କୁ ସଚେତନ କରିବାକୁ କୁହାଯାଇଛି ସେଗୁଡ଼ିକ ହେଲା-

୧- ବିଏସକେୱାଇ କାର୍ଡର ନବୀକରଣ ପ୍ରତିବର୍ଷ ସ୍ୱତଃପ୍ରବୃତ୍ତ ଭାବେ ହୋଇଥାଏ । ଏଥିପାଇଁ କୌଣସି ଅଫିସକୁ ଯିବାକୁ ପଡ଼େନି କିମ୍ବା ଦେୟ ଦେବାକୁ ପଡ଼ିନଥାଏ ।

୨-ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ ।

୩-ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି ।

୪-ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।

ହିତାଧିକାରୀମାନେ ଯେଭଳି ଠକାମୀର ଶିକାର ନହେବେ ସେଥିପାଇଁ ବିଏସକେୱାଇରେ ୩ ପ୍ରକାରର ତନଖି ବ୍ୟବସ୍ଥା କରାଯାଇଛି । ଆଇରିସ୍ ସ୍କାନ,ବାୟୋମେଟ୍ରିକ ସ୍କାନ ଓ ଓଟିପି ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ହିତାଧିକାରୀଙ୍କୁ ସୂଚିତ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

SBI AD
Leave A Reply

Your email address will not be published.