କାଠମାଣ୍ଡୁ,୨୧/୧୨: ନେପାଳ ସୁପ୍ରିମକୋର୍ଟ ‘ବିକନି କିଲର’ ଚାର୍ଲସ ଶୋଭରାଜକୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସପନା ପ୍ରଧାନ ମଲ୍ଲା ଓ ଜଷ୍ଟିସ୍ ତିଲ ପ୍ରସାଦ ଶ୍ରେଷ୍ଠଙ୍କ ପୀଠ ଶୋଭରାଜକୁ ମୁକ୍ତ କରିବା ନିମନ୍ତେ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ମୁଖପାତ୍ର ବିମଲ ପୌଡେଲ କହିଛନ୍ତି ଯେ ଜେଲରୁ ମୁକ୍ତ ହେବା ଲାଗି ଶୋଭରାଜ ପିଟିସନ ଦାଖଲ କରିଥିଲା। ଯେହେତୁ ନିର୍ଦ୍ଧାରିତ ଅବଧିରୁ ଅଧିକ ସମୟ ଧରି ସେ ଜେଲରେ କୈଦୀ ଥିଲା ଏଣୁ ତାକୁ ସେହି ଆଧାରରେ ଜେଲରୁ ମୁକ୍ତ କରିବାକୁ ପୀଠ ଆଦେଶ ଦେଇଛନ୍ତି।
ଚାର୍ଲସ ଶୋଭରାଜ ଉପରେ ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗ ଥିଲା। ଏହି ଅଭିଯୋଗରେ ସେ ୨୦୦୩ ମସିହାରୁ ନେପାଳ ଜେଲରେ ବନ୍ଦୀ ଥିଲା। ନେପାଳ ସୁପ୍ରିମକୋର୍ଟ ଶୋଭରାଜକୁ ମୁକ୍ତ କରିବା ସହ ୧୫ ଦିନ ମଧ୍ୟରେ ନିର୍ବାସନ (ଡିପୋର୍ଟେସନ) ଆଦେଶ ଦେଇଛନ୍ତି। ୭୦ ଦଶକରେ ଚାର୍ଲସ୍ ଶୋଭରାଜ ବିରୋଧରେ ନେପାଳ ସମେତ ଭାରତ, ଥାଇଲ୍ୟାଣ୍ଡ, ତୁର୍କି ଇରାନରେ ୨୦ରୁ ଅଧିକ ଲୋକଙ୍କ ହତ୍ୟା ଅଭିଯୋଗ ରହିଛି।
ଚାର୍ଲସ୍ ୭୦ ଦଶକରେ ଦକ୍ଷିଣ-ପୂର୍ବ ଏସିଆରେ ୧୨ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲା। ଏହି ସବୁ ପର୍ଯ୍ୟଟକଙ୍କୁ ସେ କେଉଁଠି ପାଣିରେ ବୁଡେଇ ହତ୍ୟା କରିଥିଲା ତ କେଉଁଠି ନିଆଁରେ ପୋଡି, ଗଳାଚିପି, ଛୁରୀମାରି ହତ୍ୟା କରିଥିଲା। ଭିଏତନାମର ମୂଳ ବାସିନ୍ଦା ଚାର୍ଲସ ଶୋଭରାଜର ଜନ୍ମ ୧୯୪୪ ମସିହାରେ ହୋଚିମିନ ସହରରେ ହୋଇଥିଲା। ତାର ମାତା ଭିଏତନାମୀ ଓ ପିତା ଭାରତୀୟ ଥିଲେ। ଚାର୍ଲସର ବାସ୍ତବ ନାମ ହଟଚନ୍ଦ ଭାଓନାନୀ ଗୁରୁମୁଖ ଚାର୍ଲସ ଶୋଭରାଜ। ହେଲେ ସେ ଏବେ ବିକନି କିଲର ଓ ସିରିୟେଲ କିଲର ନାମରେ କୁଖ୍ୟାତ।
