ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ସମବାୟ ବ୍ୟାଙ୍କ : କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। କରୋନା ମହାମାରୀ ସମୟରେ ଦେଶରେ ଅର୍ଥନୈତିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି ।

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ୧ ହଜାର ୪୮୨ଟି ସହରୀ ସମବାୟ ବ୍ୟାଙ୍କ ସମେତ ସମସ୍ତ ସରକାରୀ ବ୍ୟାଙ୍କଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ତଦାରଖ କ୍ଷମତା ଅଧୀନକୁ ଅଣାଯିବ। ସେହିପରି ଉତ୍ତରପ୍ରଦେଶର କୁସିନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଘୋଷଣା କରିବାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜିର କ୍ୟାବିନେଟ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୧ ହଜାର ୪୮୨ଟି ସହରୀ ସମବାୟ ବ୍ୟାଙ୍କ ଏବଂ ୫୮ଟି ବହୁ-ରାଜ୍ୟ ସମବାୟ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତଦାରଖ କ୍ଷମତା ଅଧୀନକୁ ଅଣାଯିବ । ରିଜର୍ଭ ବ୍ୟାଙ୍କ ଅଧୀନକୁ ୧ହଜାର ୫୪୦ଟି କୋଅପରେଟିଭ ବ୍ୟାଙ୍କ ଆଣିବା ନିଷ୍ପତ୍ତି ଫଳରେ ସେହି ବ୍ୟାଙ୍କଗୁଡିକରେ ପ୍ରାୟ ୪.୮୪ ଲକ୍ଷ କୋଟି ଟଙ୍କା ଜମା ରଖିଥିବା ୮.୬ କୋଟିରୁ ଅଧିକ ଜମାକାରୀ ନିଶ୍ଚିତ ହୋଇପାରିବେ ।