ମହାଭାରତରେ ବି ଚନ୍ଦନ ଯାତ୍ରାର ବର୍ଣ୍ଣନା ଅଛି !

ମହାଭାରତ ଯୁଗରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ବର୍ଣ୍ଣନା ରହିଛି । ଅଜ୍ଞାତ ବାସରେ ଥିବା ପାଣ୍ଡବ ମାନଙ୍କ ପରିଚୟ ପାଇ ବିରାଟ ରାଜା ସେମାନଙ୍କୁ କୃଷ୍ଣ ବଳରାମଙ୍କ ଦର୍ଶନ କରାଇ ଦେବା ପାଇଁ ଅନୁରୋଧ କରିଥିଲେ । କୃଷ୍ଣ ବଳରାମଙ୍କ ଦର୍ଶନ ନିମନ୍ତେ ବିରାଟ ରାଜା, ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ସରୋବରରେ ଏକ ଉତ୍ସବର ଆୟୋଜନ କରିଥିଲେ । ଏହି ଉତ୍ସବର ନାମ ରଖା ଯାଇଥିଲା ବିରାଟ ଉତ୍ସବ । ବିରଟ ଉତ୍ସବ ନିମନ୍ତେ ବିରାଟ ସରୋବରରେ ଏକ ଜଳକେଳି ମଣ୍ଡପ ନିର୍ମାଣ କରା ଯାଇଥିଲା ।
ଗ୍ରୀଷ୍ମ କାଳିନ ଏହି ମିଳନ କାର୍ଯ୍ୟକ୍ରମକୁ ଶୀତଳତାରେ ଭରିଦେବା ପାଇଁ ଗନ୍ଧ, ଚନ୍ଦନ, ଶୀତଳ ମଣୋହି, ଫୁଲ ଓ ବିବିଧ ଶୀତଳ ଫଳ ସହିତ ଜଳକେଳି, ନାବକେଳିର ଆୟୋଜନ କରା ଯାଇଥିଲା । ଜ୍ୟୋଷ୍ଠ ପାଣ୍ଡବଙ୍କ ପ୍ରାର୍ଥନାରେ ପରମେଶ୍ବର ଶ୍ରୀକୃଷ୍ଣ ବଳରାମଙ୍କ ସାଙ୍ଗରେ ବିରାଟ ରାଜାଙ୍କ ଦ୍ବାରା ଆୟୋଜିତ ବିରାଟ ଉତ୍ସବରେ ଯୋଗଦାନ କରିଥିଲେ । ଏହି ଉତ୍ସବକୁ ସ୍ମରଣ ରଖିବା ନିମନ୍ତେ ଶ୍ରୀକୃଷ୍ଣ ବଳରାମଙ୍କ ବିଗ୍ରହ ସହିତ ପଞ୍ଚୁ ପାଣ୍ଡବ ବା ପଞ୍ଚ ମହାଦେବଙ୍କୁ ନେଇ ଚନ୍ଦନ ଯାତ୍ରାର ଆୟୋଜନ ହୋଇ ଆସୁଛି ।

Comments are closed.