୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୧୬/୬ : ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ବର୍ଷ ପୂର୍ତ୍ତି ପରେ ଦ୍ଵିତୀୟ ବର୍ଷର ଏହା ପ୍ରଥମ ନିଯୁକ୍ତି ମେଳା। ଆମ ସରକାରର ଦଶମ ନିଯୁକ୍ତି ମେଳା। ରାଜ୍ୟରେ ୪ ଲକ୍ଷରୁ ଅଧିକ ଚାକିରି ଅଛି। ଏହା ଓଡ଼ିଶା ଜନସଂଖ୍ୟାର ମାତ୍ର ୨ ପ୍ରତିଶତ। ଆଜିଠୁ ଜନସେବା ପାଇଁ ଆପଣମାନେ ଉତ୍ସର୍ଗୀକୃତ ହେଉଛନ୍ତି। ଆପଣଙ୍କ ପ୍ରଥମ କର୍ତ୍ତବ୍ୟ ସରକାରଙ୍କ ବିଚାରଧାରା ଓ ନିୟମ ଭିତରେ ରହି କାମ କରିବେ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଆଗେଇ ଆସନ୍ତୁ। କାମ କରି ଚାଲନ୍ତୁ। ଆମ ରାଜ୍ୟର ବିକାଶ ରଥର ସାରଥୀ, ଯୁବଶକ୍ତି। ଆପଣ ଚାହିଁଲେ ରାଜ୍ୟ ବିକାଶ ପଥରେ ଆଗେଇ ଯିବ। ଆଗକୁ ଓଡ଼ିଶା ସାରା ଦେଶର ଗ୍ରୋଥ୍ ଇଞ୍ଜିନ୍ ହେବ। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ବହୁତ ଭଲ ପାଉଛନ୍ତି। ଆଗକୁ ଆହୁରି ସ୍ୱାସ୍ଥ୍ୟ ବିଭାଗରେ ବି ନିଯୁକ୍ତି ଦିଆଯିବ। ପ୍ରଧାନମନ୍ତ୍ରୀଙ୍କର ଯୁବ ନେତୃତ୍ୱଙ୍କ ଉପରେ ଦୃଢ ବିଶ୍ୱାସ ଅଛି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ଖାଲିଥିବା ଦେଢ଼ ଲକ୍ଷ ପଦବୀ ପୂରଣ କରି ଚାଲିଛନ୍ତି। ଏବେ ସୁଦ୍ଧା ୨୭ ହଜାର ୩୪୦ ଜଣଙ୍କୁ ନିଯୁକ୍ତି ଦିଆସରିଲାଣି। ଯଦି ବେସରକାରୀ ସ୍ତରରେ ଦେଖାଯିବ, ତେବେ ୪୫ ହଜାର ନିଯୁକ୍ତି ଦିଆଯାଇଛି। ଗୋଟେ ବର୍ଷରେ ଉଭୟ ସରକାରୀ ଓ ବେସରକାରୀ ଭାବେ ୭୩ ହଜାର ୩୪୬ ନିଯୁକ୍ତି ଦିଆଯାଇଛି। ସ୍ୱଚ୍ଛତା ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମନ୍ଥର ଭାବେ ନିଯୁକ୍ତି ଦିଆଯାଉଥିଲା। ଗଲା ସରକାର ନିଯୁକ୍ତି ବିଜ୍ଞପ୍ତି ବାହାର କରୁଥିଲେ, ପୁଣି ମାମଲା କରି ବନ୍ଦ କରି ଦେଉଥିଲେ। ଏ ସରକାର ନିଯୁକ୍ତି ଦେଉଛନ୍ତି। ୨୬ ଜୁନ ବେଳକୁ ସରକାରୀ ନିଯୁକ୍ତି ୬୫ ହଜାର ହେବ। ସହର ସହ ଗାଁ ଯୋଡିବ। ରଜରେ ନିଯୁକ୍ତି, ଡବଲ ଇଞ୍ଜିନ ଡବଲ ଖୁସି ଆଣି ଦେଇଛି।

ଆଜି ମୋ ନିଜର ଜଳ ସମ୍ପଦ ବିଭାଗରେ ୬୨ କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତ ବିଭାଗରେ ୫୬୩ କନିଷ୍ଠ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩ କନିଷ୍ଠ ଯନ୍ତ୍ରୀ ଓ ପୌରାଞ୍ଚଳରେ ୨୨ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗରେ ୧୧୭ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୯ ଜଣ କନିଷ୍ଠ ଏନଫୋର୍ସମେଣ୍ଟ ଅଧିକାରୀ ଓ ୧୦ ଟ୍ରେସର୍ ନିଯୁକ୍ତି କରାଗଲା। ୧୭ ଜଣ ବୈଧ ମାପ ବିଜ୍ଞାନ ଓ ଓଜନ ନିରୀକ୍ଷକ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଜଣେ ଆକାଉଣ୍ଟାଣ୍ଟ ମଧ୍ୟ ନିଯୁକ୍ତି ପାଇଛନ୍ତି।

ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଉନ୍ନୟନ କମିଶନର ଅନୁ ଗର୍ଗ ନବନିଯୁକ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପୂର୍ତ୍ତ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଶିବଲାଲ କିଷାନ ଓ ଜଳ ସମ୍ପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଅନୁସୟା ମହାନ୍ତି ମୁଖମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ୱଚ୍ଛତା ଓ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ।

SBI AD
Leave A Reply

Your email address will not be published.