ରାଉରକେଲା,୪/୧ : ୧୩ ତାରିଖ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ବକପ୍ର ପ୍ରଥମ ମ୍ୟାଚ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ରେ ରାଉରକେଲା ଗସ୍ତରେ ଯିବେ । ବିପିୟୁଟି ପରିସରସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ବିର୍ସା ମୁଣ୍ଡା ଫୁଟବଲ୍ ଷ୍ଟାଡିୟମ ସମେତ ୧୦ରୁ ଅଧିକ ପ୍ରକଳ୍ପ ସେ ଉଦ୍ଘାଟନ କରିବେ। ସେହିଦିନ ମୁଖ୍ୟମନ୍ତ୍ରୀ ରାଉରକେଲାରେ ରାତି ରହଣୀ କରିବାର ଯୋଜନା ମଧ୍ୟ ଅଛି ବୋଲି କୁହାଯାଉଛି। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ହକି ଓ ଫୁଟବଲ ଷ୍ଟାଡିୟମ ସହ ଡିଏଭି ପୋଖରୀର ୱାଟର ପାର୍କ ଓ ଅନ୍ୟ କିଛି ପ୍ରକଳ୍ପକୁ ଉଦ୍ଘାଟନ କରିବେ।
ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ଉଦ୍ଘାଟନ କରିବା ପରେ ବାସନ୍ତୀ କଲୋନି ଡିଏଭି ପୋଖରୀର ୱାଟର ପାର୍କ ଉଦ୍ଘାଟନ କରିବେ। ତା’ପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ, ମଲ୍ଡିଂ କାର୍ ପାର୍କିଂ ବ୍ୟବସ୍ଥା, ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ଡିଏଭି ପୋଖରୀର ୱାଟର ପାର୍କ, ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନବାଟିକା ଛକରୁ ଆର୍ଏସ୍ପି ମେନ୍ ଗେଟ୍ ପର୍ଯ୍ୟନ୍ତ ରିଂ ରୋଡର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶୈବ୍ୟପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବେ।
ସେହିଦିନ ସେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ ମଧ୍ୟ ଉଦ୍ଘାଟନ କରିବେ। ଏଥିସହ ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ , ୩ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଘୁନାଥପାଲୀ ଭେଣ୍ଡିଂ ଜୋନ୍, ୫୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ ଏନ୍ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
