ମୁମ୍ବାଇ, ୨୪/୬ : ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନ୍ । ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଶ୍ୱାଶ ପ୍ରଶ୍ୱାଶ ନେବାରେ ସମସ୍ୟା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ସରୋଜ ଖାନ୍ ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫି କରିଛନ୍ତି । ସେ ‘ଦେବଦାସ’ର ଡୋଲା ରେ ଡୋଲା…, ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ’ ଚଳଚ୍ଚିତ୍ର ଗୀତ ଏକ ଦୋ ତିନ୍… ଏବଂ ‘ଜବ୍ ୱି ମେଟ୍’ ଫିଲ୍ମର ୟେ ଇସ୍କ ହାୟେ… ଭଳି ଗୀତର କୋରିଓଗ୍ରାଫି କରିଛନ୍ତି । କୋରିଓଗ୍ରାଫର ଭାବରେ ୭୧ ବର୍ଷ ବୟସ୍କ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’। ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ଗତ ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫ କରିଛନ୍ତି । ୨୨ ନଭେମ୍ବର ୧୯୪୮ରେ ଜନ୍ମ ହୋଇଥିବା ସରୋଜ ଖାନ ବଲିଉଡର ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସମସ୍ତେ ତାଙ୍କ କାମକୁ ପ୍ରଶଂସା କରନ୍ତି ।