ଅନୁଗୋଳ, ୨୯/୧୨ : ଅନୁଗୋଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ୧୮୦୫ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୧୫୪୧ଟି ପ୍ରକଳ୍ପ ରହିଛି । କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସକାଳ ୧୦ଟା ୫୫ ମିନିଟରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ୍ ହେଲିପ୍ୟାଡରେ ଅବତରଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ସଭାରେ ପହଞ୍ଚି ଜିଲ୍ଲାବାସୀଙ୍କୁ ନୂଆବର୍ଷର ଭେଟି ଦେଇଛନ୍ତି । ଜିଲ୍ଲାରେ ମୋଟ ୧୮୦୫ କୋଟି ଟଙ୍କାର ୧୫୪୧ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂଗ୍ରାମ ଏମାଟିକୁ ଗୌରବାନ୍ବିତ କରିଛି। ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ଢେର୍ ଆଗୁଆ। ଏହାର ବିକାଶ ଲାଗି ୮୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲାର ୪୮ ଟି ପଞ୍ଚାୟତର ପାନୀୟ ଜଳଯୋଗାଣ ଲାଗି ସରକାର ୩୫୦ କୋଟିର ବ୍ୟବସ୍ଥା କରିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଛି। ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ଦୁଇଟି ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହାଦ୍ବାରା ଅନୁଗୁଳର ୧ ଲକ୍ଷ ୬୬ ହଜାର ଓ ବଅଁରପାଳର ୭୦ ହଜାର ଲୋକ ଉପକୃତ ହେବେ। ଉଭୟ ପ୍ରକଳ୍ପ ପାଇଁ ସମୁଦାୟ ୩୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୪ ମାସ ଭିତରେ ଉଭୟ ପ୍ରକଳ୍ପ ଶେଷ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ। ମିଶନ ଶକ୍ତି ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣର ବ୍ୟବସ୍ଥା କରାଯାଉଛି।
ଏହାପରେ ମିଶନ ଶକ୍ତି ମହିଳାମାନଙ୍କୁ ୨୪୨ କୋଟି ଟଙ୍କାର ଋଣ ବିତରଣ କରିଛନ୍ତି । କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସାଂସଦ ମହେଶ ସାହୁଙ୍କ ସମେତ ଜିଲ୍ଳାର ସମସ୍ତ ବିଧାୟକ, ୫ଟି ସଚିବ, ବିଜେଡି ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।
