ରାୟଗଡ଼ା,୩/୨: ଓଡ଼ିଶା ସୀମା ଭିତରେ ପଶି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ରପ୍ରଦେଶ । ୨ କିମି ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର କାମ ଚଲାଇଥିବା ବେଳେ ବନ୍ଦ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଦୁଇ ରାଜ୍ୟର ରାଜସ୍ବ ବିଭାଗ-ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ୍ ସରିବା ପରେ ଆନ୍ଧ୍ର ନିର୍ମାଣ କରୁଥିବା ରାସ୍ତାକୁ ରାୟଗଡ଼ା ବ୍ଲକ୍ ପ୍ରଶାସନ କରିବାକୁ ନିଷ୍ପତ୍ତି ନେଇଛି।
ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ଗୁମ୍ମାଲକ୍ଷ୍ମୀପୁରମ୍ ତହସିଲ ଗୋଇପାକାରୁ ଗୋଲାଲେଙ୍କା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ। ଉକ୍ତ ରାସ୍ତା ମଧ୍ୟରେ ରହିଛି ରାୟଗଡ଼ା ଜିଲ୍ଲା ଦୁର୍ଗାପାଡୁ ପଞ୍ଚାୟତର ପାଲମତୁଲସୀ ଗାଁ। ପାଲମତୁଲସୀ ଗାଁର ଚତୁପାର୍ଶ୍ବରେ ରହିଛି ଆନ୍ଧ୍ରର ବିଭିନ୍ନ ଗ୍ରାମ। ଗୋଇପାକାରୁ ଗୋଲାଲେଙ୍କା ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଓଡ଼ିଶାର ପାଲମତୁଲସୀ ଗାଁ ଦେଇ ଆନ୍ଧ୍ରବାସୀ ଯାତାୟାତ କରୁଛନ୍ତି। ଯାତାୟାତ ରାସ୍ତା ପକ୍କା ହୋଇନଥିବାରୁ ବର୍ଷା ଦିନ ସମେତ ଅନ୍ୟ ଦିନରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗୋଲାଲେଙ୍କା ଗ୍ରାମବାସୀଙ୍କ ନିବେଦନ ପରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କାମ ଆରମ୍ଭ କରିଛନ୍ତି।