ଭୁବନେଶ୍ୱର,୫/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଓମ୍ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି। ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା’ ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ। ମା’ ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ। ତେଣୁ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଲେ ଯେ ଏହାର ପ୍ରୟୋଗ ଦ୍ବାରା ରାଜ୍ୟ ପ୍ରାଣୀ ସଂପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ବିତ ହୋଇପାରିଛି ।