ଅକାମି ଜାମରରେ ଚାଲିଛି ଜେଲ ସୁରକ୍ଷା : ଭୁବନେଶ୍ୱର ଜେଲ ସୁପରିଟେଣ୍ଡେଣ୍ଟ ଜାଣି ଅଜଣା !

ଭୁବନେଶ୍ୱର,୧୬ /୬ – (ପ୍ରଦୀପ୍ତ କୁମାର ଦାସ) : ରାଜ୍ୟରେ ଜେଲ ସୁରକ୍ଷା କ୍ଷେତ୍ରରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଗତ ୨୦୦୮ ମସିହାରେ ସରକାର ପ୍ରାୟ ଦେଢ଼ କୋଟିରୁ ଊର୍ଧ୍ୱ ଟଙ୍କା ମୂଲ୍ୟର ମୋବାଇଲ ଜାମର କେତେକ ଜେଲରେ ସ୍ଥାପନ କରି ଥିଲେ। ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯଥାକ୍ରମେ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାର,କଟକରଚୌଦ୍ୱାର,ବ୍ରହ୍ମପୁର,ବାରିପଦା,ବାଲେଶ୍ୱର,ସମ୍ବଲପୁର ଓ ରାଉରକେଲା ସର୍କଲ ଜେଲରେ ଏହି ଜାମର ସବୁ ଲଗାଯାଇଥିଲା । ପରେ ରାଜ୍ୟର ଅନ୍ୟ ଜିଲ୍ଲା ଜେଲ ଗୁଡିକରେ ମଧ୍ୟ ଏହା ଲଗାଯାଇଥିଲା । ସେତେବେଳେ ଏହି ସବୁ ଜାମର ଗୁଡିକ ୨ଜି ସ୍ପେକ୍ଟ୍ରମ ସମ୍ପନ୍ନ ମୋବାଇଲ ନେଟୱର୍କକୁ ନିର୍ଦ୍ଦିଷ୍ଟ ପରିଧି ବା ପରିସୀମା ଭିତରେ ପ୍ରଭାବିତ କଲାଭଳି କ୍ଷମତା ବହନ କରୁଥିଲା । ତେବେ ତାହା କିଛି ବର୍ଷ କାର୍ଯ୍ୟକାରୀ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଯୁକ୍ତି ବିଜ୍ଞାନ ଦ୍ୱାରା ଉର୍ନ୍ନତ ୩ଜି ଓ ୪ଜି ସ୍ପେକ୍ଟ୍ରମ କ୍ଷମତା ସମ୍ପର୍ନ ମୋବାଇଲଫୋନ ନେଟୱର୍କକୁ ପ୍ରତିହତ କରିବା ଦିଗରେ ସକ୍ଷମ ହୋଇପାରିଲାନାହିଁ । ତେବେ ପରବର୍ତୀ ସମୟରେ ସେଗୁଡିକର ସଠିକ ଭାବେ ଅପଗ୍ରେଡେସନ କରାଯାଇ ଉପଯୁକ୍ତ ରକ୍ଷଣା ବେକ୍ଷଣ ଓ ମରାମତି କରାନଯିବା ଫଳରେ ସେବେଠୁ ସେଗୁଡିକ ଦୀର୍ଘବର୍ଷ ଧରି ଅଚଳ ହୋଇ ନାମକୁ ମାତ୍ର ରହିଛି । ଏକ୍ଷେତ୍ରରେ ଆବଶ୍ୟକ ଆନ୍ତରିକତା, ଦୁରଦୃଷ୍ଟି ଓ ସଂଶ୍ଲିଷ୍ଟ ବିଭାଗୀୟ ସମନ୍ୱୟର ଅଭାବ ସାଙ୍ଗକୁ ଉଚିତ ଭାବେ ସମ୍ପୃକ୍ତ ବୈଷୟୀକ ବିଜ୍ଞାନ ବିଶାରଦଙ୍କ ସହ ପରାମର୍ଶ ନିଆଗଲାନାହିଁ ବୋଲି ଅଭିଯୋଗ ହୋଇଛି । ଯଦି ସେତେବେଳେ ତତ୍କାଳୀନ ୨ଜି ଯନ୍ତ୍ରାଂଶ ଗୁଡିକୁ ବାହାର କରାଯାଇ ସେହି ସ୍ଥାନରେ ୩ଜି ଓ ପରେ ୪ଜି ଯନ୍ତ୍ରାଂଶ ଲଗାଯାଇ ପାରିଥାନ୍ତା ତାହେଲେ ତାହା ଅକାମି ନହୋଇ ହୁଏତ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ରହିପାରିଥାନ୍ତା ବୋଲି ଜଣେ ଅବସରପ୍ରାପ୍ତ ସର୍ବଭାରତୀୟ ଟେଲିକମ ସେବା ଅଧିକାରୀ ଇଜ ନାମ ଗୋପନ ରଖି ମତବ୍ୟକ୍ତ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ସେହି ଉଚିତ ସମୟରେ ସେଗୁଡିକରେ ଅପଗ୍ରେଡେସନ କରାଯାଇଥିଲେ ତାହା ସଫଳ ହୋଇପାରି ଥାନ୍ତା.ମାତ୍ର ତାହା ସେତେବେଳେ ହେଲା ନାହିଁ.ଇତି ମଧ୍ୟରେ ପ୍ରାୟ ବାର ବର୍ଷ ବିତିଯାଇଥିବାରୁ ଉକ୍ତ ଜାମର ଗୁଡିକର ଲାଇଫ ସ୍ପାନ ଶେଷ ହୋଇଗଲାଣି,ତେଣୁ ଏବେ ତାହା ଆଉ ସମ୍ଭବ ନୁହେଁ ।

ଏପରି ସ୍ଥିତିରେ ଜେଲ ଗୁଡିକରେ ଲାଗିଥିବା ଉକ୍ତ ଜାମର ଗୁଡିକ ଦୀର୍ଘ ବର୍ଷ ଧରି ସମ୍ପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ରହିଥିବାରୁ ଜେଲ ନିରାପତ୍ତା କ୍ଷେତ୍ରରେ ତାହା ଭ୍ରମ ସୃଷ୍ଟିକରି ଲକ୍ଷ୍ୟ ଭ୍ରଷ୍ଟ ହୋଇଛି ।ଏହାର ସୁଯୋଗ ନେଇ ଜେଲ ଗୁଡିକରେ ରହୁଥିବା ଅପରାଧପ୍ରବଣ ଅନ୍ତେବାସୀ,କେତେକ ବିଭାଗୀୟ ଦୁର୍ନୀତିଗସ୍ତ ଅଧିକାରୀ ଓ କର୍ମଚାରୀଙ୍କମଧ୍ୟରେ ଅସାଧୁ ମେଣ୍ଟ ସୃଷ୍ଟି ହୋଇ ମୋବାଇଲ ଫୋନର ଅପବ୍ୟବହାର ହେଉଥିବାରୁ ଜେଲ ଓ ଜେଲ ବାହାରେ ସଂଗଠିତ ଅପରାଧିକ କାଣ୍ଡ ଘଟୁଛି । ଜେଲ ଭିତରୁ ପେଷାଦାର କୁଖ୍ୟାତଅପରାଧୀ ମାନେ ସୁପାରୀ ହତ୍ୟାକାଣ୍ଡ,ଦାଦା ବଟି ଆଦାୟ,ଟେଣ୍ଡର ଫିକ୍ସିଙ୍ଗ,ବୋମାମାଡ଼, ଗୁଳିକାଣ୍ଡ ଓ ରାଜନୈତିକ ଅପରାଧ କାଣ୍ଡ ଇତ୍ୟାଦି ଭିଅଇବାରେ ସକ୍ଷମ ହେଉଛନ୍ତି । ମାତ୍ର ଏହାକୁ ରୋକାଯାଇପାରୁନି ମଝିରେ ମଝିରେ ଜେଲ ଗୁଡିକରେ ହେଉଥିବା ଚଢ଼ାଉ କେବଳ ଧର୍ମକୁ ଆଖିଠାର ବୋଲି ସାଧାରଣରେ ସମାଲୋଚନା ହେଉଛି । ଚଢ଼ାଉ ହେବାର କିଛିଦିନ ପର୍ଯ୍ୟନ୍ତ କଡାକଡି ଭାବେ ଜେଲ କର୍ତୃପକ୍ଷ ଜାଗତିଆର ରହୁଛନ୍ତି । ପରବର୍ତ୍ତୀ ସମୟରେ ଧୀରେଧୀରେ ପୁଣି ସେଥିରେ ଢିଲା ହେବାରୁ, ପୁଣି ଏହାର ପୁନରାବୃତ୍ତି ହେଉଥିବାର ବହୁ ନଜିରରହିଛି । ଜେଲ ଇତିହାସରେ ଏଥିରେ କିଛି ନୂତନତ୍ତ୍ୱ ନାହିଁ କହିଲେ ଅତ୍ଵିକ୍ତି ହେବନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ରାଜ୍ୟର ଅଧିକାଂଶ ଜେଲରେ ଦେଖିବାକୁ ମିଳୁଛି ।

ଅତୀତରେ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ,କଟକର ଚୌଦ୍ୱାର,ବ୍ରହ୍ମପୁର,ଖୋର୍ଦ୍ଧା,ନୟାଗଡ଼,ପୁରୀ, ସମ୍ବଲପୁର,ବାଲେଶ୍ୱର,ବାରିପଦା,ବଲାଙ୍ଗୀର ଓ କୋରାପୁଟ ଇତ୍ୟାଦି ଜେଲରେ ଏପରି ଅନେକବାର ଚଢ଼ାଉ ହୋଇଥିଲା ।ସେତେବେଳେ ଜେଲ ଗୁଡ଼ିକରୁ ବେଆଇନ ମାଦକ ଦ୍ରବ୍ୟ,ଟଙ୍କା, ମୋବାଇଲ ଫୋନ,ନିଶା ବଟିକା ଓ ଔଷଧ,ମାରଣାସ୍ତ୍ର ଓ ବିଭିନ୍ନ ପ୍ରକାରର ଆପତ୍ତିଜନକ ଜିନିଷ ପତ୍ର ଜବତ କରାଯାଇଥିବାର ବହୁ ନଜିର ରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ ଥାନା ଗୁଡିକରେ ଅନେକ ମାମଲା ହୋଇଛି ଓ ପରେ ତଦନ୍ତ ଅଧାପନ୍ତରିଆ କିମ୍ବା ଶିଥିଳ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଉଛି ।ତେବେ ନିକଟରେ ଭୁବନେଶ୍ୱର ଜେଲରେ ଦୁଇଥର ଚଢ଼ାଉ କରାଯାଥିଲା । ସେତେବେଳେ ୧୧ ଟି ବେଆଇନ ମୋବାଇଲ ଫୋନ,ବିଭିର୍ନ ମାଦକ ଦ୍ରବ୍ୟ,ନିଶା ଔଷଧ,ଟଙ୍କା ଓ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରାଯାଇଥିଲା.ଏହାଛଡା ପୂର୍ବରୁ କଏଦୀ ମାନଙ୍କର ନାଚ ଗୀତ,ଗଂଜେଇ ସେବନ ସହ ମେଳାର ଦୃଶ୍ୟ ଓ ମୋବାଇଲରେ ସେଲ୍ଫି ଉଠାଇବାର ଭିଡିଓ ମଧ୍ୟ ଅନେକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏସବୁ କାରନାମାରେ କେତେକ ଅସାଧୁ ଜେଲ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବାର ଅଭିଯୋଗ କାହାକୁ ଅଛପା ନାହିଁ ।

ତେବେ ଏହି କ୍ରମରେ ଭୁବନେଶ୍ୱର ଜେଲରେ ହୋଇଥିବା ଚଢ଼ାଉ ପରିପ୍ରେକ୍ଷୀରେ ସୁପରିଟେଣ୍ଡେଣ୍ଟ ସରୋଜ ବିଶ୍ୱାଳଙ୍କୁ ପଚାରିବାରେ ଜେଲରେ ପ୍ରଚଳିତ ଜାମର ବାବଦରେ ସେ କହିଥିଲେ ଯେ ଏବେ ଯାହା ଅଛି, ଭଲ୍ୟୁମ ଯଦି ବଢ଼ାଇ ଦିଆଯାଏ ତେବେ ପାଞ୍ଚ କିଲୋମିଟର ରାଡ଼ିଏସ ପର୍ଯ୍ୟନ୍ତ ଲୋକଙ୍କ ମୋବାଇଲ କାମ କରିବନି । ପବ୍ଲିକ ପ୍ରୋବ୍ଲେମ ହେଇଯିବ ବୋଲି ଚତୁରତାର ସହ ସଫେଇ ଦେଇଥିଲେ । ତାଙ୍କଠୁଁ ଏହା ଶୁଣି ନିକଟରେ ଜେଲରେ ଚଢ଼ାଉ ବେଳେ ଜବତ ହୋଇଥିବା ଏତେ ସଂଖ୍ୟକ ମୋବାଇଲ କିପରି ବ୍ୟବହାର ହେଉଥିଲା ପ୍ରଶ୍ନବାଚୀ କ୍ରମେ ଆମେ ଚକିତ ହେବା ସହ ଏନେଇ ତାଙ୍କ ଠାରୁ ଅଧିକ ତଥ୍ୟ ଜାଣିବା ପାଇଁ ଚାହିଁବାରୁ, ସେ ସିକୁରିଟି ବାବଦରେ ମୁଁ ଆଉ ଅଧିକ କିଛି କହିପାରବିନି,ଡିଜିଙ୍କୁ ପଚାରନ୍ତୁ ବୋଲି କହି ପ୍ରସଙ୍ଗକୁ ଚତୁରତାର ସହ ଏଡାଇ ଯାଇଥିଲେ । ତେବେ ବିଭାଗୀୟ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଓ ଡ଼ିଆଇଜି ଶୁଭକାନ୍ତ ମିଶ୍ରଙ୍କୁ ଏନେଇ ପଚାରିବାରେ ବାସ୍ତବରେ ପ୍ରଚଳିତ ଜାମର ଗୁଡିକ ଆଉ କାମ କରୁନି.ସେତେବେଳେ ସେଗୁଡିକ ୨ଜି ର ଥିଲା । ଏବେ ୩ ଜି,୪ ଜି ଓ ୫ ଜି ହେଲାଣି.ତେଣୁ ଏବେ କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ହୋମ ମିନିଷ୍ଟ୍ରିଙ୍କ ମାର୍ଗଦର୍ଶୀକା ଅନୁଯାୟୀ ଏହାର ଶେଷତମ ଅତ୍ୟାଧୁନିକ ଟେକ୍ନୋଲୋଜି ମୁତାବକ ଡୋମିନେଣ୍ଟ ପାୱାର ଟେକନୋଲୋଜି ସିଷ୍ଟମରେ ଏହା କାର୍ଯ୍ୟ କରିବ । ପ୍ରାରମ୍ଭିକ ଭାବେ ଦିଲ୍ଲୀ ଠାରେ ଥିବା ଏକ ଜେଲରେ ଏହାକୁ ନୂତନ ଭାବେ ସ୍ଥାପନ କରାଯାଇ ସୁଫଳ ମିଳିଛି । ଏଣୁ ଏହା କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗରେ ଫାଇନାଲ ଅପ୍ରୋଭାଲ ହୋଇ ଆସିଲାପରେ ସବୁ ରାଜ୍ୟରେ କାର୍ଯ୍ୟକାରୀ ହେବ । ତଦନୁଯାୟୀ ଆମ ରାଜ୍ୟରେ ମଧ୍ୟ ଥିବା ଜେଲ ଗୁଡିକ ପାଇଁ ଆମେ କିଣି ତାକୁ ସବୁ ଜେଲରେ ଲଗାଇବୁ ବୋଲି ଉଭୟେ କହିଥିଲେ ।

Comments are closed.