IPL : ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ ଲଢେଇ

ନୂଆଦିଲ୍ଲୀ, ୦୫/୦୫ : ଆଇପିଏଲ୍‌ ମ୍ୟାଚ୍‌ରେ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି। ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ଆଜିର ମ୍ୟାଚ୍‌ ଜରିଆରେ ବିଜୟକୁ ଫେରିବା ପାଇଁ ପ୍ରୟାସ କରିବେ। ସନ୍‌ରାଇଜର୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସଦୃଶ ରହିଛି। ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । କ୍ୟାପିଟାଲ୍ସ ୧୦ଟି ମ୍ୟାଚ୍‌ ଖେଳି ୬ ବିଜୟ, ୪ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିବାବେଳେ ସନ୍‌ରାଇଜର୍ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ମାର୍ଚ୍ଚ ୩୦ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । କ୍ୟାପିଟାଲ୍ସ ୭ ୱିକେଟରେ ଏହି ମ୍ୟାଚ୍‌ ଜିତିଥିଲା । ପ୍ରମୁଖ ପେସ୍‌ ବୋଲର ମିଚେଲ ଷ୍ଟାର୍କ ୫ଟି ୱିକେଟ୍‌ ନେଇ ବିଜୟରେ ହିରୋ ସାଜିଥିଲେ । ଅଭିଷେକ ବର୍ମାଙ୍କୁ ଛାଡ଼ିଦେଲେ ଦୁର୍ଦ୍ଧର୍ଷ ଓପନର ଟ୍ରେଭିସ୍‌ ହେଡ୍‌, ଈଶାନ କିଷନ, ହେନରିକ କ୍ଲାସେନଙ୍କ ବିଫଳତା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି । ଆଜି ଘରୋଇ ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ କମିନ୍ସ ବାହିନୀ ପ୍ରସ୍ତୁତ ରହିଛନ୍ତି । ବୋଲିଂ ବିଭାଗରେ ମଧ୍ୟ କୌଣସି ବୋଲର ସ୍ଥିର ପ୍ରଦର୍ଶନ ଦେଇ ପାରୁନାହାନ୍ତି । କ୍ୟାପିଟାଲ୍ସକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜରୁରୀ । କ୍ୟାପିଟାଲ୍ସ ଏକ ଶୃଙ୍ଖଳିତ ଏକାଦଶ ଗଠନ କରିସାରିଛି । ଓପନର ଫାଫ୍‌ ଡୁ’ପ୍ଲେସି ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିବା ସହ ଫର୍ମରେ ଥିବା ପ୍ରମାଣିତ କରିଛନ୍ତି ।

ସନ୍‌ରାଇଜର୍ସ: ଟ୍ରେଭିସ ହେଡ୍‌, ଅଭିଷେକ ଶର୍ମା, ଈଶାନ କିଷନ, ହେନରିକ୍‌ କ୍ଲାସେନ, ଅନିକେତ ବର୍ମା, ନୀତିଶ କୁମାର ରେଡ୍ଡୀ, କାମିଣ୍ଡୁ ମେଣ୍ଡିସ୍‌, ପ୍ୟାଟ୍‌ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ଜୟଦେବ ଉନାକାତ, ଜୀଶାନ ଅନସାରୀ, ମହମ୍ମଦ ସାମି ।

କ୍ୟାପିଟାଲ୍ସ: ଅଭିଷେକ ପୋରେଲ, ଫାଫ୍‌ ଡୁପ୍ଲେସି, କରୁଣ ନାଏର, କେଏଲ୍‌ ରାହୁଲ, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ବିପ୍ରଜ ନିଗମ, ଆଶୁତୋଷ ଶର୍ମା, ମିଚେଲ ଷ୍ଟାର୍କ, ଦୁଷ୍ମନ୍ତ ଚାମିରା, କୁଲଦୀପ ଯାଦବ, ମୁକେଶ କୁମାର ।