ଧନେଶ୍ୱର ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୧୮/୦୫ : ସ୍ଥାନୀୟ ବାଲିକୁଦା ଉତ୍ତମାପୁରସ୍ଥିତ ଓଡ଼ିଶାର ଅନ୍ୟତମ ନର୍ସିଂ ଶିକ୍ଷାନୁଷ୍ଠାନ ସମୂହ ଧନେଶ୍ୱର ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନରେ ଆନ୍ତର୍ଜାତିକ ନର୍ସିଂ ଦିବସ ଓ ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ଜନ୍ମ ଦିବସ ଅବସରରେ ଅର୍ବାନ୍ ଓଆସିସ୍ କନ୍‌ଭେନ୍‌ସନ୍‌ଠାରେ ଆୟୋଜିତ ଏହି ଉତ୍ସବକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ନର୍ସିଂ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସର୍ଗୀକୃତ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ସହ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ଖରାଦିନରେ ଜଳଛତ୍ର ଏବଂ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରାସନ ବଣ୍ଟନ ଇତ୍ୟାଦି କାର୍ଯ୍ୟ ମାଧ୍ୟମରେ ସାମାଜିକ ଦାୟିତ୍ୱ ସମ୍ପନ୍ନ କରିଆସୁଥିବା ଧନେଶ୍ୱର ଗ୍ରୁପର ଭୂମିକାକୁ ବିଧାୟକ ଶ୍ରୀ ବିଶ୍ୱାଳ ବେଶ୍ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡ଼ା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଡ଼ା ଜୟଶ୍ରୀ ପଟ୍ଟନାୟକ ଯୋଗଦେଇ ନର୍ସିଂକୁ ଏକ ମହନୀୟ ବୃତ୍ତି ଭାବରେ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଏହି ବୃତ୍ତିରେ ଭବିଷ୍ୟତ ଗଢ଼ିବା ଲାଗି ନିଷ୍ପତ୍ତି ନେଇଥିବାରୁ ଡ଼ା ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଓ ନର୍ସିଂ ସେବାକୁ ଅଧିକ ସହଜ ଓ ଫଳପ୍ରଦ କରିବା ଲାଗି କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟତମ ଅତିଥି ବିଶିଷ୍ଟ ଉଦର ରୋଗ ବିଶେଷଜ୍ଞ ପ୍ରଫେସର ଡା. ଅଜିତ ପ୍ରସାଦ ଜେନା ଓ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା. ଉମେଶ ରାୟ ନର୍ସିଂ ଦିବସର ଶୁଭେଚ୍ଛା ଜଣାଇବା ସହ ଆଧୁନିକ ନର୍ସିଂର ଜନ୍ମଦାତ୍ରୀ ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ବିିଦ୍ୟାର୍ଥୀଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । ସମାଜସେବୀ ତଥା ଯୁବ ଶିଳ୍ପପତି ମିଶାଲ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱ ନର୍ସିଂ ଦିବସର ଆଭିମୁଖ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସରକାରୀ ପଲିଟେକନିକ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଇଂ ଦୁର୍ଗାଚରଣ ବେହେରା ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ଧନେଶ୍ୱର ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସଂଗ୍ରାମ କେଶରୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ପ୍ରମିଳା କୁମାରୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଚାଳନା ନିର୍ଦ୍ଦେଶିକା ସୁଜାତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମରଣିକା ସାହୁଙ୍କ ତତ୍ୱାବଧାନରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ସରସ୍ୱତୀ ଦେଇ, ସଂଗୀତା ବରାଳ, ସ୍ମୃତିରେଖା ମହାନ୍ତି, ମଧୁସ୍ମିତା ଦାସ, ମନିଷା ଦାସ, ଇତିଶ୍ରୀ ସାହୁ, ସୁଶ୍ରୀତା ପ୍ରିୟଦର୍ଶିନୀ ସାହୁ, ଅନ୍ନପୂର୍ଣ୍ଣା ପ୍ରଧାନ, ସ୍ୱାତୀ ସ୍ୱରୂପା ସାମଲ, ଅନାମିକା ମହନ୍ତ, ପୌଶାଳୀ ଚକ୍ରବର୍ତ୍ତୀ, ଲୋପାମୁଦ୍ରା ସାହୁ, ସସ୍ମିତା ପ୍ରଧାନ, ଫକୀର ସାହୁ, ନିରାକାର ପଲେଇ, ବାଦଲ ଭୋଇ, ଦିଲ୍ଲୀପ କୁମାର ଦାସ, ଶ୍ୟାମ ସାମଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ପରେ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଡକ୍ଟର ଭିକାରୀ ଚରଣ ସାହୁଙ୍କ ନିର୍ଦ୍ଦେଶନାରେ ନାଟକ ମଞ୍ଚସ୍ଥ ହୋଇଥିଲା । ଦିବ୍ୟଶ୍ରୀ ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ସମାପିକା ପରିଡ଼ା, ସଂସ୍କୃତି ପରିଡ଼ା, ସ୍ୱାତୀ ଓ ନିକି ନୃତ୍ୟ ପ୍ରଦର୍ଶନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସ୍ୱିକୃତୀ ମହାନ୍ତି । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।