ଦେଶର ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଲକ୍ଷ୍ୟ – ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୨୯/୫: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ କରିଛନ୍ତି । ଆଗାମୀ ଦିନରେ ଭାରତରେ ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଆମର ଲକ୍ଷ୍ୟ ବୋଲି ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଲୋକର୍ପଣ କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବର୍ତମାନର ବିପଦ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆତ୍ମନିର୍ଭର ଭାରତ ପାଇଁ ସମସ୍ତେ କାମ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି । ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୫୩ ପ୍ରତିଶତ ଭୌଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି। ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଏହା ସହାୟକ ହେବ ।

ସେ କହିଛନ୍ତି ଯେ ଗତ ୬ ବର୍ଷରେ ଦେଶରେ ପ୍ରାକୃତିକ ଗ୍ୟାସ କ୍ଷେତ୍ର ବା ସିଜିଡି ନେଟୱାର୍କର ସଂପ୍ରସାରଣରେ ଅଭୁତପୂର୍ବ ଅଭିବୃଦ୍ଧି ଘଟିଛି । ୨୦୧୪ ସୁଦ୍ଧା ଦେଶରେ ସିଜିଡି ନେଟ୍‌ୱାର୍କ ସଂଖ୍ୟା ୩୪ଥିଲା ଯାହା ୬୬ଟି ଜିଲ୍ଲାକ କଭର କରୁଥିଲା । ଏବେ ଏପ୍ରିଲ ସୁଦ୍ଧା ଏହି ସଂଖ୍ୟା ୨୩୨କୁ ବୃଦ୍ଧି ପାଇଛି, ଯାହା ୪୦୭ଟି ଜିଲ୍ଲା ବା ସହରକୁ କଭର କରୁଛି । ସେହିପରି ୨୦୧୪ରେ ଘରୋଇ ପିଏନଜି ସଂଖ୍ୟା ୨୫.୪ ଲକ୍ଷ ଥିଲା ଏବେ ତାହା ୬୦.୬୮ ଲକ୍ଷରେ ପହଁଚିଛି । ୨୦୧୪ରେ ଶିଳ୍ପ ପାଇଁ ପିଏନଜି ଏବଂ ବାଣିଜ୍ୟିକ ପାଇଁ ପିଏନଜି ସଂଖ୍ୟା ୨୮ ହଜାର ଥିଲା ଏବଂ ତାହା ବୃଦ୍ଧି ପାଇ ଏପ୍ରିଲ ମାସରେ ୪୦ ହଜାର ୮୮୦ରେ ପହଁଚିଛି । ଦେଶରେ ସିଏନଜି ଷ୍ଟେସନ ମଧ୍ୟ ୯୩୮ରୁ ୨୨୦୭କୁ ବୃଦ୍ଧି ପାଇଛି । ସିଏନଜି ଗାଡି ମଧ୍ୟ ୨୨ ଲକ୍ଷରୁ ୩୩.୭୫ ଲକ୍ଷରେ ପହଁଚିଛି । ସିଜିଡି ନେଟୱାର୍କର ପ୍ରସାର ଲୋକଙ୍କ ଜୀବନଶୈଳିରେ ଅଭୁତପୂର୍ବ ପରିବର୍ତନ ଆଣିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଚୀନ ଓ ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର । ଦେଶରେ ଉର୍ଜା ଚାହିଦାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି । ଉର୍ଜା କ୍ଷେତ୍ରରେ ବର୍ତମାନ ଦେଶରେ ଗ୍ୟାସର ସେୟାର ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।