ପ୍ରକୃତି ସହ ଲୋକଙ୍କୁ ଯୋଡ଼ିବା ଲାଗି ସିନେମା ବେଶ୍ ସହାୟକ ହେବ। ଏହାକୁ ଦୃଷ୍ଟିରେ ରଖି ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି ଅଭିନେତ୍ରୀ ତଥା ପ୍ରଯୋଜିକା ଦିୟା ମିର୍ଜା। ବିଶ୍ୱ ପରବେଶ ଦିବସ ଉପଲକ୍ଷେ ଦିୟା କହିଛନ୍ତି, ପୋଲିଓ ଟିକାକରଣଠାରୁ ଆରମ୍ଭ କରି ଏଚ୍ଆଇଭି ସଂକ୍ରମଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ଫିଲ୍ମ ପରଦାକୁ ଆସିଛି। କିନ୍ତୁ ପରିବେଶକୁ ନେଇ ଭାରତ କିମ୍ବା ଅନ୍ୟ ଦେଶରେ ସେଭଳି ଆଖିଦୃଶିଆ ସିନେମା ନିର୍ମାଣ ହୋଇନାହିଁ।
ପ୍ରକୃତିରାଣୀର ଗୁରୁତ୍ୱ ଓ ସୌନ୍ଦର୍ଯ୍ୟକୁ ଆଧାରିତ ଫିଲ୍ମରେ ଅଭିନୟ ପାଇଁ ଅଫର ଆସିଲେ, ତାହାକୁ ଗ୍ରହଣ କରିବେ ବୋଲି ଦିୟା କହିଛନ୍ତି। ଖାଲି ସେତିକି ନୁହେଁ, ନିଜେ ଏ ଧରଣର ଫିଲ୍ମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାର କାହାଣୀ ଲେଖାଚାଲିଥିବା ସେ କହିଛନ୍ତି। ଗତବର୍ଷ ସେ ଭାରତ ପକ୍ଷରୁ ଜାତିସଂଘର ଗୁଡ୍ଓ୍ବିଲ ଆମ୍ବାସାଡର (ପରିବେଶ) ହୋଇଥିଲେ। ଦିୟା ଆହୁରି କହିଛନ୍ତି, ଆମେ ଦୈନନ୍ଦିନ ଜୀବନରେ କିଛି ଉତ୍ତମ ଅଭ୍ୟାସ ଆପଣାଇ ପରିବେଶ ପ୍ରଦୂଷଣ ରୋକିପାରିବା।