ଭୁବନେଶ୍ୱର, ୦୩/୦୬ : ଶିକ୍ଷାବିତ୍ , ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଫ୍ରାନ୍ସର ଷ୍ଟ୍ରାସବର୍ଗ ସ୍ଥିତ ଇଣ୍ଟରନ୍ୟାସନାଲ ଏକଜିକ୍ୟୁଟିଭ୍ ସ୍କୁଲ୍ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଆଇଇଏସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଡ.ସାମନ୍ତଙ୍କ ୭୪ତମ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଆଇଇଏସ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଡ. ସାମନ୍ତ ଉପସ୍ଥିତ ହୋଇପାରିନଥିଲେ। ସେଥିପାଇଁ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଜରିଆରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଇଇଏସ୍ର ପ୍ରତିଷ୍ଠାତା, ସହ-ପ୍ରତିଷ୍ଠାତାଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ସମ୍ମାନ ପାଇଁ ଡ. ସାମନ୍ତ ଆଇଇଏସ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଥିବା ନିଜ ବକ୍ତବ୍ୟରେ କହିଥିଲେ । ଏହି ସମ୍ମାନ ତାଙ୍କୁ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ଅବସରରେ ଶିକ୍ଷା, ଗବେଷଣା ଓ ଛାତ୍ର ଶିକ୍ଷକ ବିନିମୟ ନେଇ କିଟ୍ ଓ ଫ୍ରାନ୍ସର ଦୁଇ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।