କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଆରମ୍ଭ ହୋଇଛି ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କ ଏକ ଟଙ୍କିଆ କ୍ଲିନିକ୍ । ସ୍ଥାନୀୟ କାକଟ ଲକ୍ ନିକଟରେ ଏହି ଦିନିକିଆ କ୍ଲିନିକ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ପ୍ରାୟ ୧୩୦ ଜଣ ରୋଗୀ ନାମ ପଞ୍ଜିକରଣ କରି ନିଜ ରୋଗର ଚିକିତ୍ସା କରିଥିଲେ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ଖୁସି।
ଏହି କ୍ଲିନିକ୍ ରେ ରୋଗୀମାନଙ୍କୁ ଏକ ଟଙ୍କାରେ ଚିକିତ୍ସା ଏବଂ ଏକ ଟଙ୍କାରେ ଔଷଧ ଯୋଗାଇ ଦିଆଯାଇଛି। କ୍ଲିନିକ୍ ପରିଚାଳନାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହାୟତା କରିଛି। ଆଗାମୀ ଦିନରେ ମାସରେ ଅନ୍ତତଃ ଥରୁଟିଏ କେନ୍ଦ୍ରାପଡାରେ ଏହି ଏକ ଟଙ୍କିଆ କ୍ଲିନିକ ଚଲାଇବା ପାଇଁ ଆୟାଜକମାନେ ଲକ୍ଷ୍ୟ ରଖିଛନ୍ତି। ନିଜର ଏହି ସେବା ମନୋଭାବ ପାଇଁ ଚନ୍ଦାନୀ ସବୁ ମହଲରୁ ପ୍ରଶଂସିତ ହୋଇଛନ୍ତି।
ଡାକ୍ତର ଚନ୍ଦାନୀ କହିଛନ୍ତି ଯେ, ବାପାଙ୍କ ସ୍ଵପ୍ନ ସାକାର କରିବା ପାଇଁ ମୁଁ ଏକ ଟଙ୍କିଆ କ୍ଲିନିକ୍ ଆରମ୍ଭ କରିଥିଲି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମଚାରୀଙ୍କ ଅନୁରୋଧ କ୍ରମେ ମୁଁ ଏଠାକୁ ଆସିଛି। ଏ ଅଞ୍ଚଳ ମଧ୍ୟ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ବହୁତ ପଛୁଆ ରହିଛି। ଆଜି ଏକ ଟଙ୍କିଆ କ୍ଲିନିକ୍ ଆରମ୍ଭ ହୋଇଛି। ସମୟ ପାଇଲେ ମଝିରେ ମଝିରେ ଆସି ଏ ଅଞ୍ଚଳର ଗରିବ, ମଧ୍ୟବିତ୍ତ ଏବଂ ଅବହେଳିତ ରୋଗୀମାନଙ୍କୁ ଏକ ଟଙ୍କିଆ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବି ବୋଲି କହିଛନ୍ତି।
