ନୂଆଦିଲ୍ଲୀ : ଆଇନଜୀବୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ଯାଞ୍ଚ କରିବାପାଇଁ ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କମିଟିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତି ସାମିଲ ହେବେ । ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଓ ମନିନ୍ଦର ସିଂହଙ୍କୁ ମଧ୍ୟ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ବାର କାଉନ୍ସିଲ ଅଫ ଇଣ୍ଡିଆ କମିଟିରେ ୩ ସଦସ୍ୟଙ୍କୁ ମନୋନୀତ କରିବ ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପି.ଏସ୍ ନରସିହ୍ମା ଓ ଜଷ୍ଟିସ୍ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ, ଆଇନଜୀବୀଙ୍କ ଏହି ଆଇନ ଡିଗ୍ରୀ ଯାଞ୍ଚ ପ୍ରକିୟାରେ ଥିବା ପ୍ରତିବନ୍ଧକୁ ଧ୍ୟାନରେ ରଖି ଏହି ଆଦେଶ ପାରିତ କରିଛନ୍ତି । କମିଟିକୁ ସୁବିଧାଜନକ ସ୍ଥିତି ଉପରେ କାମ ଆରମ୍ଭ କରିବା ଓ ୩୧ ଅଗଷ୍ଟ ଯାଏ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଷ୍ଟେଟ୍ ବାର କାଉନସିଲରେ ପଞ୍ଜୀକୃତ ଆଇନଜୀବୀଙ୍କ ଉଚିତ୍ ଯାଞ୍ଚ ନ୍ୟାୟିକ ବ୍ୟବସ୍ଥାରେ ସତ୍ୟନିଷ୍ଠାର ରକ୍ଷା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରତ୍ୟେକ ସତ୍ୟନିଷ୍ଠ ଆଇନଜୀବୀଙ୍କ ଏହା ମଧ୍ୟ କର୍ତ୍ତବ୍ୟ କି, ସେମାନେ ଏଥିରେ ସହଯୋଗ କରିବା ସହ ନିଜ ଆଇନ ପ୍ରମାଣପତ୍ରର ଯାଞ୍ଜ ପ୍ରକିୟାରେ ନିଜ ଆଡ଼ୁ ସାମିଲ ହୁଅନ୍ତୁ । ଯେପର୍ଯ୍ୟନ୍ତ ଏହି ଯାଞ୍ଚ ସମୟ ସମୟରେ କରାନଯାଏ, ତାହେଲେ ଏହା ନ୍ୟାୟିକ ବ୍ୟବସ୍ଥା ପ୍ରତି ମଧ୍ୟ ବିପଦ ମଧ୍ୟ ସୃଷ୍ଟି କରିପାରେ ।
ସବୁ ବିଶ୍ୱବିଦ୍ୟାଳୟ ଓ ପରୀକ୍ଷା ବୋର୍ଡ ବିନା ଫିସ୍ରେ ଡିଗ୍ରୀର ବୈଧତା ବିଷୟରେ ତଥ୍ୟ ପ୍ରଦାନ କରିବା ଉଚିତ୍। ବିସିଆଇ ଖଣ୍ଡପୀଠକୁ କହିଛନ୍ତି ଯେ, ଯେଉଁ ଆଇନଜୀବୀମାନେ ରାଜ୍ୟ ବାର୍ କାଉନସିଲ୍ ନିକଟରେ ସେମାନଙ୍କ ଆଇନ ଡିଗ୍ରୀର ଭେରିଫିକେସନର ଫର୍ମ ଦାଖଲ କରିନାହାନ୍ତି , ସେମାନେ ପ୍ରାକ୍ଟିସର ଯୋଗ୍ୟ ନୁହଁନ୍ତି , ଏମିତି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ବାହାରର ରାସ୍ତା ଦେଖାଇ ଦେବା ଉଚିତ୍ ।
