ଭୋପାଳ,୧୯/୮: ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳର ମହାଦେବ କମ୍ପ୍ଲେକ୍ସରେ ରହୁଥିବା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଞ୍ଜନ ମହତାବ ଓ ଶାଶୁଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ବୋହୂ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ବିବାହରେ ୨.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ।
ଆଉ ଶାଶୂଘର ପକ୍ଷରୁ ଅଧିକ ଯୌତୁକ ଆଣିବାକୁ ବୋହୂଙ୍କ ଉପରେ ଚାପ ପକାଇଥିଲେ । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ଯଦିଓ କୋର୍ଟ ଏହି ଦମ୍ପତିଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଶାଶୂଘର ପକ୍ଷରୁ ତାଙ୍କୁ ରହିବାକୁ ଦିଆଯାଇନଥିଲା । ସୂଚନା ଥାଉ କି ଭୋପାଳର ମହାଦେବ କମ୍ପ୍ଲେକ୍ସର ବାସିନ୍ଦା ସାକ୍ଷୀ ୨୦୧୬ ମସିହାରେ ଓଡ଼ିଶାର କଟକରୁ ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନଙ୍କ ସହ ବିବାହ କରିଥିଲେ। ସ୍ୱାମୀ ଲୋକରଞ୍ଜନ ଦିଲ୍ଲୀରେ ରୁହନ୍ତି ଏବଂ ବୃତ୍ତିରେ ଜଣେ ବ୍ୟବସାୟୀ ।
ସେ ତାଙ୍କ ଶ୍ୱଶୁର ତଥା ସାଂସଦ ଭର୍ତ୍ତୃହରି ମହତାବ, ଶାଶୁ ମହେଶ୍ଵେତା ଦେବୀ ଏବଂ ସ୍ୱାମୀ ଲୋକରଞ୍ଜନଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଛନ୍ତି । ଯୌତୁକ ନିର୍ଯାତନା ସହ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ସାକ୍ଷୀ । ଏହାସହ ବିବାହ ପରଠାରୁ ଲଗାତାର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ । ଶ୍ୱଶୁର ଘରେ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯିବା ଫଳରେ ଭୋପାଳରେ ବାପା-ମାଆଙ୍କ ସହ ରହୁଥିବା ଦର୍ଶାଇଛନ୍ତି ସାକ୍ଷୀ । ବର୍ତ୍ତମାନ ଭୋପାଳ ପୁଲିସ ଏହି ଘଟଣାର ତଦନ୍ତ କରୁଛି ।