ରାଜ୍ୟରେ ୫ଟି ବୃହତ ଶିଳ୍ପ ସଂସ୍ଥାର ସମ୍ପ୍ରସାରଣକୁ ମଞ୍ଜୁରୀ : ୨୬,୯୫୯ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର.୬/୭ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଧାତବ ତଥା ଧାତବ ଡାଉନ୍‌ଷ୍ଟି୍ରମ୍‌ କ୍ଷେତ୍ରରେ ୧,୪୬,୧୭୨ କୋଟି ଟଙ୍କାର ୫ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରି କହିଛନ୍ତି ଯେ ଓଡ଼ିଶାର ଇସ୍ପାତ ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଏହି ପ୍ରକଳ୍ପଗୁଡ଼ିକ ବେଶ୍‌ ସହାୟକ ହେବ। ଏହି ୫ଟି ପ୍ରକଳ୍ପ ମାଧ୍ୟମରେ ୨୬,୯୫୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ୍‌ ମହାମାରୀ ସତ୍ତେ୍ୱ ରାଜ୍ୟ ୨.୯୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷିତ କରିପାରିଛି। ଆଜି ଅନୁମୋଦିତ ହୋଇଥିବା ଅତିରିକ୍ତ ପୁଂଜିନିବେଶକୁ ମିଶାଇ ଗତବର୍ଷଠାରୁ ଏ ପର୍ଯ୍ୟନ୍ତ ସମୁଦାୟ ୪.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇପାରିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।