ଭୁବନେଶ୍ୱର,୨୯/୧୨ : ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପାଇଁ ଆଜି (ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଛନ୍ତି। ବିଶିଷ୍ଟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଛନ୍ତି।ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ହେବ ଭୁବନେଶ୍ୱର ରେଳ ଷ୍ଟେସନ । ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାର କାର୍ଯ୍ୟ ଶୀଘ୍ର ସମ୍ପାଦନ ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।
ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆକାଂକ୍ଷାକୁ ପୁରଣ କରିବ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ସେବାର ପରିଣାମ । ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମାଧ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ l
ଆଜିଠାରୁ ଉଭୟ ନୂତନ ଟ୍ରେନ୍ ଚଳାଚଳ କରିବ । ୨୦୮୩୨/ ୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ୨୦୨୩ ଜାନୁୟାରୀ ୩ ତାରିଖରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ସନ୍ଧ୍ୟା ୭ଘ.୧୦ମି.ରେ ଛାଡି ଶାଲିମାରକୁ ଯାତ୍ରା କରିବାକୁ ଥିବାବେଳେ ଏହା ୨୦୨୩ ଜାନୁୟାରୀ ୪ତାରିଖରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତ୍ରି ୯ଘ.୨୫ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।
ସେହିଭଳି, ୦୮୪୧୬/୦୮୪୧୫ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ଡିସେମ୍ବର୩୧ ତାରିଖ ଠାରୁ ପ୍ରତିଦିନ ଅପରାହ୍ନ ୧ଘ.୧୫ମି.ରେ ଛାଡି ଜଳେଶ୍ୱର ଯାତ୍ରା କରିବ ଏବଂ ୨୦୨୩ ଜାନୁୟାରୀ ପହିଲାରୁ ଜଳେଶ୍ୱର ଠାରୁ ସକାଳ ୪ଘ.୫୦ମି.ରେ ଛାଡି ପୁରୀ ଫେରିବ।
