ବଡ଼ ଧରଣର ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ: ୪ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ, ୧୮/୦୪ : ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ କରାଯାଇଛି। ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ ହେଉଥିବା ୪ ଜଣ ଯୁବକଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କୁ ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ହମାଦ (୧୯), ଶେଖ ଇମ୍ରାନ (୨୨), ମହମ୍ମଦ ସୋହିଲ (୨୩) ଏବଂ ମୋସାଇବ ଅହମ୍ମଦ (୩୨) । ଏମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ। ଏବଂ ଆତଙ୍କୀ ଆକ୍ରମଣ ପାଇଁ ଆଇଇଡି ପ୍ରସ୍ତୁତ କରୁଥିଲେ। ଜିହାଦୀ କାର୍ଯ୍ୟ ପାଇଁ କ୍ୟୁଆର୍‌ କୋଡ୍‌/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ। ଜିହାଦୀ କାର୍ଯ୍ୟ ପାଇଁ ଯୁବକମାନଙ୍କୁ ତାଲିମ୍ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ତଦନ୍ତରୁ ଏହା ଜଣାପଡିଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଡିସେମ୍ବର ୨୦୨୫ରେ ଦିଲ୍ଲୀ ଆସିଥିଲେ । ଏବଂ ଲାଲକିଲ୍ଲା ଏବଂ ଇଣ୍ଡିଆ ଗେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ରେକି କରିଥିଲେ। ସେ ଜନସାଧାରଣଙ୍କୁ ଉସୁକାଇବା ପାଇଁ ସୋସିଆଲ ମିଡିଆରେ ଲାଲକିଲ୍ଲାର ଫଟୋ ସମେତ ଆପତ୍ତିଜନକ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ସମସ୍ତ ଚାରି ଅଭିଯୁକ୍ତ ସାଧାରଣ ପରିବାରରୁ ଆସିଛନ୍ତି ଏବଂ ଅଧିକାଂଶ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସ୍ୱତନ୍ତ୍ର ସେଲ୍ ସେମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ୨୦୨୩ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସେମାନଙ୍କଠାରୁ ଆଇଇଡି ତିଆରି ସାମଗ୍ରୀ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।