ଗୁଲାମ ନବୀ ଆଜାଦ କରିପାରନ୍ତି ଘର ବାହୁଡା !

ନୂଆଦିଲ୍ଲୀ,୩୦/୧୨: ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରି କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ପାର୍ଟିକୁ ଫେରିପାରନ୍ତି । ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି । କଂଗ୍ରେସ ସୂତ୍ର ଅନୁସାରେ ଭାରତ ଯୋଡୋ ଯାତ୍ରା ଆସନ୍ତା ମାସରେ ଜାମ୍ମୁ-କାଶ୍ମୀରରେ ପହଞ୍ଚିବ ଏବଂ ଏହି ସମୟରେ ଗୁଲାମ ନବୀ ଆଜାଦ ପାର୍ଟିର ଅଂଶ ହୋଇପାରନ୍ତି । ଚଳିତ ବର୍ଷ ଅଗଷ୍ଟ ୨୬ରେ ଆଜାଦ ନିଜର ୫୨ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିଥିଲେ ଏବଂ ନିଜର ନୂଆ ଦଳ ଗଠନ କରିଥିଲେ । ନିଜ ଇସ୍ତଫା ପତ୍ରରେ ସେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ରାହୁଲ ଗାନ୍ଧୀକୁ ଦାୟୀ କରିଥିଲେ । ତେବେ ସେ ସୋନିଆ ଗାନ୍ଧୀଙ୍କ ପ୍ରଶଂସା କରିଥିଲେ ।

କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ଅକ୍ଟୋବରରେ ଡେମୋକ୍ରେଟିକ୍ ଆଜାଦ ପାର୍ଟି ନାଁରେ ନୂଆ ଦଳ ଗଠନ କରିଥିଲେ । ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନରେ ଆଜାଦ କହିଥିଲେ ଯେ ବିଜେପିର ମୁକାବିଲା କେବଳ କଂଗ୍ରେସ ହିଁ କରିପାରିବ । ଏହାସହ ସେ କହିଥିଲେ ଯେ ସେ କଂଗ୍ରେସ ବିରୋଧରେ ନୁହନ୍ତି ବରଂ ଏହାର ଦୁର୍ବଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଗୁଲାମ ନବୀ ଆଜାଦଙ୍କ ଏହି ବୟାନ ପରେ ଏହା ଅନୁମାନ କରାଯାଉଛି ଯେ କଂଗ୍ରେସକୁ ତାଙ୍କର ଘର ବାହୁଡା ହୋଇପାରେ ।