ନୂଆଦିଲ୍ଲୀ ୩୦/୦୩ : ଗୁରୁବାର ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୩,୦୦୦ ଅତିକ୍ରମ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୫୦୦ରୁ ଅଧିକ ହୋଇଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୧୬ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
ଗତ ୨୪ ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୬୨କୁ ବୃଦ୍ଧି ପାଇଛି। ଆଜି ମହାରାଷ୍ଟ୍ର ୩ଟି, ଦିଲ୍ଲୀରେ ୨ଟି ଓ ହିମାଚଳ ପ୍ରଦେଶ ୧ଟି ମୃତ୍ୟୁ ରିପୋର୍ଟ କରିଥିବା ବେଳେ ପିଛିଲା ଭାବେ କେରଳ ୮ଟି ମୃତ୍ୟୁ ସାମିଲ କରିଛି।
ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୨.୭୩% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୧.୭୧% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୬୮,୩୨୧। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮% ରହିଛି ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୫୦୯କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୩%। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୫,୯୨,୪୮୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।