ତିରୁଅନନ୍ତପୁରମ୍ ୨୨/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ରାଜ୍ୟ ‘ବିଜେପି’ ଅଫିସ୍କୁ ଧମକ ଦିଆଯାଇଥିବା ଚିଠି ଆସିବାରୁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି। ଏପ୍ରିଲ୍ ୨୪ ତାରିଖ ପାଇଁ ନିର୍ଦ୍ଧାରିତ ମୋଦୀଙ୍କ କୋଚି ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ କରାଯିବ।
ଚିଠିରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ ପୁଲିସ ଚିହ୍ନଟ କରିଥିଲେ ବି ଏ ଘଟଣାରେ ତାଙ୍କର ସମ୍ପୃକ୍ତି ନାହିଁ । ତାଙ୍କୁ ଫସାଇବା ପାଇଁ କେହି ବିରୋଧୀ ତାଙ୍କ ନାମ ବ୍ୟବହାର କରିଥାଇ ପାରନ୍ତି ବୋଲି ସେ କହିଛନ୍ତି। କିନ୍ତୁ, ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିମାନେ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ସଂଗ୍ରହ କରୁଛନ୍ତି।
ସେପଟେ, ‘ବିଜେପି’ର କେ. ସୁରେନ୍ଦ୍ରନ୍ କହିଛନ୍ତି ଯେ, ନିର୍ଦ୍ଧାରଣ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସଙ୍ଗଠିତ ହେବ। ପୂର୍ବରୁ ମଧ୍ୟ ସୁରେନ୍ଦ୍ରନ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ରୋଡ୍ ସୋ’ କରିବା ସହିତ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବ। ଏହି ଗସ୍ତ ପାଇଁ କେରଳବାସୀଙ୍କର ଅନେକ ପ୍ରତ୍ୟାଶା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍ ସୋ’ କରିବେ। ତାଙ୍କୁ ପାଛୋଟି ନେବା ପାଇଁ ଲୋକେ ସ୍ବେଚ୍ଛାକୃତ ଭାବେ ଆସିବେ। ‘ଯୁବମ୍’ ସମ୍ମିଳନୀ କେରଳରେ ରାଜନୈତିକ ପରିବର୍ତ୍ତନର ସୂତ୍ରପାତ କରିବ। ଦଳମତ ନିର୍ବିଶେଷରେ କେରଳର ବିକାଶ ଚାହୁଁ ଥିବା ଯୁବା ଏଥିରେ ଅଂଶ ଗ୍ରହଣ କରିପାରିବେ।
