ଋଷଭ ପନ୍ତଙ୍କ ପାଇଁ ମହାକାଳେଶ୍ୱର ମନ୍ଦିରରେ ଭାରତୀୟ ଖେଳାଳିଙ୍କ ପୂଜାର୍ଚ୍ଚନା

ଇନ୍ଦୋର,୨୪/୧ : ମଧ୍ୟପ୍ରଦେଶର ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ଆୟୋଜିତ ଭସ୍ମ ଆରତୀରେ ଭାଗ ନେଇ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆରତୀ ଓ ଜଳାଭିଷେକ କରିଥିବା ଖେଳାଳିମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ରହିଥିଲେ। ସେମାନେ ସମସ୍ତେ ମହାକାଳେଶ୍ୱର ମନ୍ଦିରରେ ପନ୍ତଙ୍କ ସୁସ୍ଥ କାମନା କରି ପୂଜାର୍ଚ୍ଚନା କରିଛନ୍ତି। ଟିମରେ ଥିବା ସର୍ପୋଟଷ୍ଟାଫ ଓ ଅମ୍ପାୟାରମାନେ ମଧ୍ୟ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରିଥିବା ବେଳର ଫଟୋ ସାମ୍ନାକୁ ଆସିଛି।

ଉଜ୍ଜୟୀନର ଲୋକସଭା ସାଂସଦ ଅନୀଲ ଫିରୋଜାଇ ଏହି ସମୟରେ ୩ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ପୂଜାର୍ଚ୍ଚନା ପରେ ଭାରତୀୟ ସ୍କ୍ୱାଡର ୨୫ ଜଣ ସଦସ୍ୟ ମିଳିତ ଭାବେ ମହାନିର୍ବାଣୀ ଆଖଡ଼ାର ମହନ୍ତ ଶ୍ରୀ ବିନୀତ ଗିରିଜୀ ମହରାଜଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ପୂଜାର୍ଚ୍ଚନା ପରେ ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, ସେମାନେ ଟିମର ସଦସ୍ୟ ପନ୍ତ କେମିତି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ସେନେଇ ମହାକାଳଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।