IPL : ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ-ରାଜସ୍ଥାନ ରୟାଲ୍ସ ଲଢେଇ

0

ନୂଆଦିଲ୍ଲୀ, ୧୩/୦୪ : ଆଇପିଏଲ୍‌ର ୨୮ତମ ଲିଗ୍‌ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ଉଭୟ ଦଳ ଇତି ମଧ୍ୟରେ ୫ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ଓ ରାଜସ୍ଥାନ ରୟାଲ୍ସ ୨ଟି ମ୍ୟାଚ୍‌ ଜିତି ଯଥାକ୍ରମେ ୬ ଓ ୪ ପଏଣ୍ଟ ଅର୍ଜନ କରିଛନ୍ତି । ବର୍ତ୍ତମାନ ପଏଣ୍ଟ ବଢ଼ାଇବାର ସମୟ ଆସିଛି । ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ରାଜସ୍ଥାନ ରୟାଲ୍ସ ଜୟପୁରରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏଥର ଘରୋଇ ଗ୍ରାଉଣ୍ଡ ଭାଗ୍ୟ ବଦଳାଇବ ବୋଲି ଆଶା ରଖିଛି । ମାତ୍ର ଏହା ପୂର୍ବରୁ ଅନେକ ତ୍ରୁଟି ସୁଧାରିବାକୁ ହେବ । ବିଶେଷ କରି ବ୍ୟାଟିଂ ବିଭାଗରେ ଉନ୍ନତି ଜରୁରି । କେବଳ ସଞ୍ଜୁ ସାମସନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରୁ ନାହାନ୍ତି । ମଧ୍ୟକ୍ରମରେ ଦକ୍ଷ ବ୍ୟାଟରଙ୍କ ଅଭାବ ରହିଥିବାରୁ ବଡ଼ ବିଜୟ ଲକ୍ଷ୍ୟର ପିଛା କରିବା ସମୟରେ ଦଳ ଚାପର ବଶବର୍ତ୍ତୀ ହେବା ସ୍ୱାଭାବିକ । ତେଣୁ ବୋଲିଂ ବିଭାଗକୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ହେବ । ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ମୋଟ୍‌ ୩୨ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୫ଟି ଓ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚ୍‌ ଜିତିଛନ୍ତି । ୩ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି । ଆଜି ଉଭୟ ଦଳ ଏକାଦଶ (ଦ୍ୱାଦଶ)ରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଲାଏମ ଲିଭିଙ୍ଗଷ୍ଟୋନଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ଜାକବ ବେଥେଲଙ୍କୁ ଖେଳାଇପାରେ । ସେହିପରି ରାଜସ୍ଥାନ ରୟାଲ୍ସ ଦଳକୁ ୱାନିଣ୍ଡୁ ହସରଙ୍ଗା ପ୍ରତ୍ୟାବର୍ତ୍ତନ କରିବେ । ବିରାଟ କୋହଲି ଏକ ରେକର୍ଡ ସମକକ୍ଷ ହେବାର ସୁଯୋଗ ରହିଛି । ସେ ଆଜି ଅର୍ଦ୍ଧଶତକ ଅର୍ଜନ କଲେ ଦ୍ୱିତୀୟ ବ୍ୟାଟରଭାବେ ଟି-ଟ୍ୱେଣ୍ଟିରେ ୧୦୦ ଅର୍ଦ୍ଧଶତକ ପୂରଣ କରିବେ । କେବଳ ଡେଭିଡ୍‌ ୱାର୍ଣ୍ଣର ଟି-ଟ୍ୱେଣ୍ଟିରେ ୧୦୦ ଅର୍ଦ୍ଧଶତକ ପୂରଣ କରିଛନ୍ତି ।

ରାଜସ୍ଥାନ ରୟାଲ୍ସ : ସଞ୍ଜୁ ସାମସନ(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ନୀତିଶ ରାଣା, ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେତମାୟର, ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା, ତୁଷାର ଦେଶପାଣ୍ଡେ, ସନ୍ଦିପ ଶର୍ମା, ଫଜଲହକ୍‌ ଫାରୁକି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ : ଫିଲ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ/ଜାକବ ବେଥେଲ, ଜିତେଶ ଶର୍ମା, ଟିମ ଡେଭିଡ୍‌, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍‌, ୟଶ ଦୟାଲ, ସୂୟାଶ ଶର୍ମା।

Leave A Reply

Your email address will not be published.