ଦୁବାଇ : ଆଇପିଏଲରେ ନିଜର ପ୍ରାଧ୍ୟାନ୍ୟ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। କ୍ରମାଗତ ୨ ବର୍ଷ ଏହି ସମ୍ମାନଜନକ ଟାଇଟଲ ଜିତିବା ସହ ମୁମ୍ବଇ ସର୍ବାଧିକ ୫ମ ଥର ଆଇପିଏଲ୍ ମୁକୁଟ ପିନ୍ଧିପାରିଛି। ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରି ପୁଣି ଇତିହାସ ରଚିଛି ମୁମ୍ବାଇ ଇଣ୍ଡିଆନ । ଏଥି ସହିତ ଆଇପିଏଲ-୨୦୨୦ ଶେଷ ହୋଇଛି । ତେବେ ମ୍ୟାଚ ପରେ କେଉଁ ଖେଳାଳି କେଉଁ ପୁରସ୍କାର ପାଇଲେ ନିମ୍ନରେ ଜାଣନ୍ତୁ ।
ଆଇପିଏଲ ଫ୍ରାଚାଇଜର୍ସ ମୁମ୍ବାଇ ଇଣ୍ଡିଆନ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି । ଏହି ବିଜୟ ସହିତ ମୁମ୍ବାଇ ୫ଥର ଚାମ୍ପିଅନ ହୋଇଛି । ଏଥି ସହିତ ମୁମ୍ବାଇକୁ ୨୦ କୋଟି ଟଙ୍କା ଓ ଟ୍ରଫି ମିଳିଛି ।
ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସ ଉପବିଜେତା ରହିଛି । ତେଣୁ ଏହି ଟିମକୁ ସାଢ଼େ ୧୨ କୋଟି ଟଙ୍କା ପୁରସ୍କାର ମିିଳିଛି । କିଙ୍ଗସ ଇଲେଭେନ ପଂଜାବର ଅଧିନାୟକ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୧୪ଟି ମ୍ୟାଚରେ ୬୭୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କୁ ଅରେଂଜ କ୍ୟାପ ସହ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି ।
ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କାଗିସୋ ରାବଡ଼ା ଚଳିତ ଆଇପିଏଲରେ ୧୭ଟି ମ୍ୟାଚ ଖେଳି ସର୍ବାଧିକ ୩୦ଟି ୱିକେଟ ନେଇଛନ୍ତି । ତାଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ଦେବଦତ୍ତ ପଡିକଲଙ୍କ ବ୍ୟାଟିଂ ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ସେ ୧୫ଟି ମ୍ୟାଚରେ ୫ଟି ଅର୍ଦ୍ଧଶତକ ସମେତ ୪୭୩ ରନ କରିଥିଲେ । ତାଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମୋଷ୍ଟ ଭେଲ୍ୟୁବଲ ଖେଳାଳି ହୋଇପାରିଛନ୍ତି । ସେ ୧୪ଟି ମ୍ୟାଚରେ ୨୦ଟି ୱିକେଟ ନେଇଛନ୍ତି । ତାଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି ।