ବିଶିଷ୍ଟ ଯାତ୍ରା ହାସ୍ୟାଭିନେତା ଜଗା ରାଉତଙ୍କ ଦେହାନ୍ତ

ପୁରୀ,୨୭ /୪: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମର ବିଶିଷ୍ଟ ଯାତ୍ରା ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ ଓରଫ ଜଗା ରାଉତ ନାମ ସାରା ଓଡ଼ିଶାର ଘରେ ଘରେ ପରିଚିତ। ହସାଉଥିଲେ କିନ୍ତୁ ତାଙ୍କ ହସକୁ ଲିଭାଇଦେଲା କରୋନା। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡାରୁ ଭଳି ବହୁ ଯାତ୍ରାରେ ଅଭିନୟ କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି। ଦିନେ ସାତଶଙ୍ଖ ଅପେରାର ବ୍ରାଣ୍ଡ୍‌ ପାଲଟିଯାଇଥିବା ଜଗା ରାଉତ ଯାତ୍ରା ଜଗତର ଏକ ପରିଚିତ ନାଁ ଥିଲେ। ଜିଭ ଅଗରେ ଅସଜଡ଼ କଥା କହି ହସାଇ ହସାଇ ବେଦମ କରାଉଥିଲେ। ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ। ୩୦ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ। ସଂପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ।

Comments are closed.