ଆସାମ,୨/୬: ଆସାମର ବାରକ ଉପତ୍ୟକା ଅଞ୍ଚଳର ତିନୋଟି ଭିନ୍ନ ଜିଲ୍ଲାରେ ମଙ୍ଗଳବାର ହୋଇଥିବା ଭୂସ୍ଖଳନ ଘଟଣାରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ବେଳେ ଏବେ ଭୂସ୍ଖଳନ ଚିନ୍ତା ବଢାଇଛି ।
ସୂଚନାନୁଯାୟୀ, ଗତ କିଛି ଦିନ ହେବ ବାରକ ଉପତ୍ୟକା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କଛାର ଜିଲ୍ଲାରେ ଭୂସ୍ଖଳନ ହେତୁ ୭ ଜଣ ପ୍ରାଣ ହରାଇଛନ୍ତି। ଏଥି ସହ ହିଲକାଣ୍ଡି ଜିଲ୍ଲାରେ ୭ ଜଣ ଏବଂ ବାଂଲାଦେଶ ସୀମାବର୍ତ୍ତୀ କରିମଗଞ୍ଜ ଜିଲ୍ଲାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ସମବେଦନା ଜଣାଇ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏକ ଟୁଇଟ୍ରେ କହିଛନ୍ତି ଯେ ବାରକ ଉପତ୍ୟକାରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହେତୁ ଜୀବନ ଓ ସମ୍ପତ୍ତି ନଷ୍ଟ ହେବା ନେଇ ମୁଁ ଗଭୀର ଭାବରେ ଦୁଃଖିତ । ଉଦ୍ଧାର, ରିଲିଫ୍ ଅପରେସନ୍ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ମୁଁ କଛାର, ହିଲକାଣ୍ଡି ଏବଂ କରିମଗଞ୍ଜ ଜିଲ୍ଲା ପ୍ରଶାସନ ଏବଂ SDRF କୁ ନିର୍ଦ୍ଦେଶ ଦେଇଛି।
ସୂଚନାଯୋଗ୍ୟ ଯେ, ଆସାମ ବନ୍ୟାରେ ଅତି କମରେ 9 ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଛି। ବନ୍ୟା ପରିସ୍ଥିତି ନାଲବାରୀ, ଗ୍ୱାଲପଡା, ନାଗାଓଁ, ହୋଜାଇ, ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ, ଡିବ୍ରୁଗଡ ଏବଂ ଟିନୁସୁକିଆ ଜିଲ୍ଲାର ୩୫୬ ଟି ଗାଁରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।